ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ହୋଇଥିବା ନେଇ ଥାନାରେ ଏତଲା ପରେ ଉଭୟ ରାଜ୍ୟ ସରକାର ଓ ବିଜେପି ସିଧାସଳଖ ପୂର୍ବତନ ବିଜେଡି ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବ ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି lଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି।ଶ୍ରୀ ତ୍ରିପାଠୀ ଏନେଇ ନବୀନଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି ଯେ, ୨୦୨୪ ଜୁନ୍ ୪ତାରିଖରେ ଭୋଟ ଗଣତି ଟ୍ରେଣ୍ଡ ବିଜେପି ସପକ୍ଷରେ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୃହ ବିଭାଗକୁ ସବୁ ଫାଇଲ ପଠାଇ ଦିଆଗଲା, କିନ୍ତୁ ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଫେରସ୍ତ କରାଗଲା ନାହିଁ। ନୂଆ ବିଜେପି ସରକାର ଗଠନ ପରେ ଏହି ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ନିମନ୍ତେ ବହୁ ଖୋଜାଖୋଜି ପରେ ମଧ୍ୟ ଫାଇଲ ମିଳିନଥିବା ଜଣାପଡ଼ିଥିଲା।ଏନେଇ ଗୃହ ବିଭାଗ ପକ୍ଷରୁ ନବୀନଙ୍କୁ ଏକାଧିକାର ଚିଠି କରାଗଲା ପରେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ । ୨୦୨୫ ଅକ୍ଟୋବର ୨୩ ଓ ନଭେମ୍ବର ୪ରେ ଚିଠି କରାଯିବା ପରେ ନବୀନଙ୍କ ବ୍ୟକ୍ତିଗତ ସଚିବ ନଭେମ୍ବର ୧୫ତାରିଖରେ ଗୃହ ସଚିବଙ୍କୁ ଚିଠି ଲେଖି ତାଙ୍କୁ ଏହି ଫାଇଲ୍ ଖୋଜିବା ନିମନ୍ତେ ନବୀନ କହିଥିବା ଅବଗତ କରାଇଥିଲେ ।ସେହିପରି ଓଡିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସମଗ୍ର ବିବାଦ ଉପରେ ସରକାରଙ୍କ ପ୍ରଶାସନିକ ପଦକ୍ଷେପର ସ୍ପଷ୍ଠୀକରଣ ରଖିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ,ଯଦି ସରକାରଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଥାନ୍ତା, ତେବେ ସରକାର ଗଠନ ହେବା ମାତ୍ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ତୁରନ୍ତ ମାମଲା ଦାଏର କରିଥାନ୍ତୁ। କିନ୍ତୁ ଆମେ ପ୍ରଥମେ ପ୍ରଶାସନିକ ସ୍ତରରେ ବହୁ ପ୍ରୟାସ କଲୁ। କମିଶନ ତଦନ୍ତ ରିପୋର୍ଟ ଖୋଜିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ନାଇଡ଼ୁ କମିଶନ ତଦନ୍ତ ରିପୋର୍ଟ ୧୯.୯.୨୦୧୬ ରେ ଓ ସମ୍ ହସ୍ପିଟାଲ ଆରଡିସି ରିପୋର୍ଟ ୨୩.୫.୨୦୧୮ ରେ ମୁଖ୍ୟ ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ଆଉ ଫେରି ନାହିଁ।ପୂର୍ବ ସରକାର ଏହାକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର ମଧ୍ୟ କରିନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ସଚିବ ଏକାଧିକବାର ଚିଠି ଲେଖିବା ପରେ କେବଳ ‘ଆମେ ଖୋଜୁଛୁ, ଦେଖୁଛୁ’ ବୋଲି ଉତ୍ତର ଆସୁଥିଲା। ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିବା ପରେ ବି ଫାଇଲ ନଫେରିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି । ଏହି ଫାଇଲ ମିଳିବା ମାତ୍ରେ ହିଁ ଏହାକୁ ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି।










