ନୂଆଦିଲ୍ଲୀ:ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ୬୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ୧୭୧ ରନର ଟାର୍ଗେଟର ଜବାବରେ ପାକିସ୍ତାନ ୧୭ ଓଭରରେ ୧୦୬ ରନରେ ଅଲଆଉଟ୍‌ ହୋଇଯାଇଥିଲା।ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଶେଫାଳି ବର୍ମା (୬) ଓ ଜେମିମା ରୋଡ୍ରିଗ୍ସ (୧)ଙ୍କ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଅଧିନାୟିକା ହରମନପ୍ରୀତଙ୍କ ସହ ଉପ ଅଧିନାୟିକା ସ୍ମୃତି ମନ୍ଧାନା ମିଶି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଦୁହେଁ ତୃତୀୟ ଉଇକେଟରେ ୯୧ ରନ ଯୋଡ଼ିଥିଲେ। ଦ୍ରୁତ ଗତିରେ ରନ କରୁଥିବା ମନ୍ଧାନା ୪୪ ବଲରେ ୬୮ (୯ ଚୌକା ଓ ୨ ଛକା) ରନ କରି ଆଉଟ୍‌ ହୋଇଥିବା ବେଳେ ହରମନପ୍ରତୀ ୩୬ (୪ ଚୌକା) ରନ କରି ପାଭିଲିଅନ ଫେରିଥିଲେ। ଶେଷ ଆଡ଼କୁ ରିଚା ଘୋଷ ଆଟାକିଂ ବ୍ୟାଟିଂ କରିଥିଲେ। ସେ ୧୭ ବଲରେ ୪ ଚୌକା ଓ ୧ ଛକା ସହାୟତାରେ ୩୪ ରନ କରି ଅନ୍ତିମ ଓଭରରେ ଆଉଟ୍‌ ହୋଇଥିଲେ। ଏଥିଯୋଗୁ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ କରିଥିଲା।ଜବାବରେ ପାକିସ୍ତାନ ପାଓ୍ବାରପ୍ଲେ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୫୨ ରନ କରିଥିଲା। କିନ୍ତୁ ଫିଲ୍ଡ ଖୋଲିବା ପରେ ଦୀପ୍ତି ଓ ଶ୍ରୀ ଚରନୀଙ୍କ ବୋଲିଂ ଯୋଗୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭ ଓଭରରେ ୧୦୬ ରନରେ ଅଲଆଉଟ୍‌ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here