ଭୁବନେଶ୍ୱର: ଆଜି ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୬-୨୭ ପାଇଁ ଆନୁଷ୍ଠାନିକ ଭାବେ ଗାଇଡ୍ଲାଇନ୍ ଉନ୍ମୋଚନ କରିଛନ୍ତି। ସେ ଏଠାରେ ତୀର୍ଥଯାତ୍ରା ଯୋଜନାର ନିୟମ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବୟସ ଓ ଆର୍ଥିକ ସମସ୍ୟା ଯେପରି ବରିଷ୍ଠ ନାଗରିକଙ୍କ ଧାର୍ମିକ ଇଚ୍ଛା ପୂରଣରେ ବାଧା ନହେଉ, ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥାନକୁ ସୁରକ୍ଷିତ ଓ ସମ୍ମାନଜନକ ଭାବରେ ଯାତ୍ରା କରିପାରିବେ।
ସରକାରଙ୍କ ସୂଚନା ଅନୁସାରେ, ଏହି ଯୋଜନା ଆରମ୍ଭ ହେବା ପରଠାରୁ ୪୫,୫୫୫ରୁ ଅଧିକ ବରିଷ୍ଠ ନାଗରିକ ଏହାର ସୁବିଧା ପାଇ ବିଭିନ୍ନ ପବିତ୍ର ତୀର୍ଥସ୍ଥାନ ପରିଦର୍ଶନ କରିସାରିଛନ୍ତି। ୨୦୨୬-୨୭ ଯୋଜନା ପାଇଁ ଆବେଦନ ଆସନ୍ତା ଜୁଲାଇ ୧୫ରୁ ଆରମ୍ଭ ହୋଇ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବସାଇଟ୍ରେ ଅନଲାଇନ୍ ଆବେଦନ କରିପାରିବେ। ଏହାଛଡ଼ା ଅଫଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି। ନୂଆ ଗାଇଡ୍ଲାଇନ୍ରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଚୟନ ବ୍ୟବସ୍ଥା ଏବଂ ଯାତ୍ରା ପରିଚାଳନା ସମ୍ପର୍କିତ ସମସ୍ତ ନିୟମ ସ୍ପଷ୍ଟ କରାଯାଇଛି।











