ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ବୈଠକରେ ୭ ଟି ବିଭାଗର ୧୩ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ଏହିପରି ମୋଟ ୭ଟି ବିଭାଗର ମୋଟ ୧୩ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି l କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି।ଏହା ଅଧୀନରେ ୪୬୦୦ କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ରାସ୍ତା ନଥିବା ଗାଁଗୁଡ଼ିକୁ ଏହା ଦ୍ୱାରା ସଂଯୋଗ କରାଯିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ସେହିପରି ରାଜ୍ୟର ‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି ପାଇଛି, ଯାହା ମାଧ୍ୟମରେ ୩୧୬୭ଟି ପୁରୁଣା ସେତୁର ମରାମତି ଓ ନବୀକରଣ କରାଯିବ। ସେହିପରି ଓଡ଼ିଶା କୃଷି ବିପଣନ ଆଇନ, ୧୯୫୬ ରଦ୍ଦ ହୋଇଛି । ଏକ ନୂତନ କୃଷି ଓ ପଶୁ ସମ୍ପଦ ବିପଣନ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ୧୯୫୭ ମସିହାରୁ ବଳବତ୍ତର ଥିବା OAPM ଆଇନ, ଚାଷୀଙ୍କୁ ଶୋଷଣରୁ ରକ୍ଷା ଓ ଉଚିତ ମୂଲ୍ୟ ନିର୍ଧାରଣ ସୁନିଶ୍ଚିତ କରିବା ପାଇଁ ପ୍ରଣୟନ ହୋଇଥିଲା । ବିଗତ ବର୍ଷରେ ପ୍ରଚଳିତ ବଜାର ବ୍ୟବସ୍ଥା କେତେକାଂଶରେ ସୀମିତ ଏବଂ ଏକାଧ୍ୟାକାରଭିତ୍ତିକ ହୋଇଛି । ଏହା ଫଳରେ ପ୍ରତିଯୋଗିତା ଓ ବେସରକାରୀ ପୁଞ୍ଜିନିବେଶ ବାଧାପ୍ରାପ୍ତ ହେବା ସହ ଅପାରଗତା, ନିମ୍ନମାନର ଭିତ୍ତିଭୂମି ଏବଂ ଚାଷୀ ପାଉଥିବା ମୂଲ୍ୟ ଓ ଗ୍ରାହକ ଦେଉଥିବା ମୂଲ୍ୟ ମଧ୍ଯରେ ଏକ ବଡ଼ ବ୍ୟବଧାନ ଦେଖାଦେଉଛି । ଆଧୁନିକ ବଜାରର ଆବଶ୍ୟକତା ଓ ଜାତୀୟ ସ୍ତରର ସର୍ବୋତ୍ତମ ଅଭ୍ୟାସ ଅନୁଯାୟୀ କୃଷି ବିପଣନ ବ୍ୟବସ୍ଥାରେ ସଂସ୍କାର ଆଣି ଏହିସବୁ ଆହ୍ବାନର ସମାଧାନ କରିବା ଏହି ପ୍ରସ୍ତାବିତ ଆଇନର ମୂଳ ଲକ୍ଷ୍ୟ । ଚାଷୀଙ୍କୁ ଉତ୍ପାଦ ବିକ୍ରୟ ପାଇଁ ଅଧିକ ସ୍ବାଧୀନତା ମିଳିବ ।

LEAVE A REPLY

Please enter your comment!
Please enter your name here