ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶାନ୍ତିନଗରରେ ଜଣେ ଯୁବତୀ ଘର ଭିତରେ ନିଜ ଦେହରେ କିରୋସିନ ଢାଳି ଜାଳି ହୋଇଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଯୁବତୀ ଜଣକ ଆଜି ସକାଳେ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB) କୁ ସ୍ଥାନାନ୍ତର କରାଯାଉଥିଲା। ତେବେ ଦୁର୍ଭାଗ୍ୟବଶତଃ କଟକ ନେବା ବାଟରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ବଡ଼ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।











