ଭୁବନେଶ୍ୱର: ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ସଂଲଗ୍ନ ଘୂର୍ଣ୍ଣବଳୟ ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହା ପ୍ରଭାବରେ ୩ ଦିନ ଧରି ଉତ୍ତର-ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଭୁବେନଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୦ଜିଲ୍ଲାକୁ ସତର୍କ କରାଯାଇଛି। ସେହିପରି, ସମୁଦ୍ର ଅଶାନ୍ତ ଥିବାରୁ ୧୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, କଟକ, ଭୁବନେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ତୁହାକୁତୁହା ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋରଧା, ନୟାଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ମୟୂରଭଞ୍ଜ, ବୌଦ୍ଧ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।











