ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ଓଡ଼ିଶାରୁ ମିଳିଲା ସମର୍ଥନ । ଦିଲ୍ଲୀର ଯନ୍ତରମନ୍ତରରେ ସମାଜ ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱରର ଲୋୟର ପିଏମଜିରେ ଓଡ଼ିଶା ନାଗରିକ ସମାଜ, ଆମ ଆଦମୀ ପାର୍ଟି, ବାମପନ୍ଥୀ ସଂଗଠନ, AISF ସମେତ ବିଭିନ୍ନ ଛାତ୍ର ସଂଗଠନ ଏକାଠି ହୋଇ କେନ୍ଦ୍ରର ଶିକ୍ଷା ନୀତିକୁ ବିରୋଧ କରିଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ, ଦେଶର ପ୍ରମୁଖ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ ହେଉଛି। ଏହି ପରିସ୍ଥିତିର ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ୍ ଛକରେ ସିପିଆଇ(ଏମ୍) ସମେତ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି। ଶିକ୍ଷା କ୍ଷେତ୍ରରେ ବଢ଼ୁଥିବା ଅନିୟମିତତା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ବାମ ନେତାମାନେ।











