ଭୁବନେଶ୍ୱର: ଭାରତର ସୁପ୍ରିମକୋର୍ଟ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, ମାତ୍ର ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇ ପରବର୍ତ୍ତୀ ତାରିଖ ଘୋଷଣା କରାଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି କରିବେ । ଆସନ୍ତା ଶୁଣାଣିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବଂ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନଗୁଡ଼ିକ ଉପରେ କୋର୍ଟ ଯୁକ୍ତି ଶୁଣିବେ। ଆସନ୍ତା ମାସଗୁଡ଼ିକରେ ଓଡ଼ିଶା ପୋଲିସର ନେତୃତ୍ୱ କିଏ ନେବ, ତାହା କେବଳ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ। ରାଜ୍ୟ ସରକାର DGP ପଦ ପାଇଁ ସମ୍ଭାବ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ, ତାହା ଏହି ମାମଲାର ମୁଖ୍ୟ ପ୍ରସଙ୍ଗ । ମାମଲାରେ ଆବେଦନକାରୀଙ୍କ ଅଭିଯୋଗ ହେଉଛି, DGP ଚୟନ ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକାରେ ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରାଯାଇଛି ଏବଂ ଏହା ୨୦୦୬ର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା DGP ନିଯୁକ୍ତି ନୀତିର ଉଲ୍ଲଂଘନ । ଅନ୍ୟପଟେ ରାଜ୍ୟ ସରକାର ଏହି ଅଭିଯୋଗକୁ ବିରୋଧ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here