କଟକ: ସରକାରୀ ଅଧିକାରୀଙ୍କୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅଦାଲତଙ୍କ ‘ସମନ୍’ ପଠାଯିବ। ଓଡ଼ିଶା ହାଇକୋର୍ଟଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଡିସେମ୍ବର ୧, ୨୦୨୬ ରୁ ରାଜ୍ୟ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ କୋର୍ଟ ‘ସମନ୍’ (Summons) ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପଠାଯିବ। ମାମଲାଗୁଡ଼ିକର ତ୍ୱରିତ ଫଇସଲା ଏବଂ ନ୍ୟାୟିକ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ନୂତନ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଭାବେ ‘ସମନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’ (Summons Management System) ପ୍ରସ୍ତୁତ କରାଯାଇଛି, ଯାହାକୁ ରାଜ୍ୟ ସରକାରଙ୍କ HRMS ପୋର୍ଟାଲ ସହ ଯୋଡ଼ାଯାଇଛି। ଏହାକୁ summon.odisha.gov.in ୱେବସାଇଟ୍ ମାଧ୍ୟମରେ ପରିଚାଳନା କରାଯିବ। ସମ୍ପୃକ୍ତ କୋର୍ଟର ଅଧିକୃତ ସମନ୍ ମ୍ୟାନେଜର ଏହି ପୋର୍ଟାଲରେ ମାମଲାର ବିବରଣୀ, ସରକାରୀ କର୍ମଚାରୀଙ୍କ ତଥ୍ୟ ଏବଂ ହାଜର ହେବାର ତାରିଖ ଓ ସମୟ ଅପଲୋଡ୍ କରିବେ। ଏହାପରେ ପୋର୍ଟାଲ୍, ଏସ୍ଏମ୍ଏସ୍ (SMS) କିମ୍ବା ଇ-ମେଲ୍ ମାଧ୍ୟମରେ କର୍ମଚାରୀଙ୍କ ନିକଟକୁ ସମନ୍ ପହଞ୍ଚିବ। ନୂତନ ନିୟମ ଅନୁସାରେ, ଆବଶ୍ୟକ ସ୍ଥଳେ ସରକାରୀ କର୍ମଚାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ କୋର୍ଟରେ ନିଜର ସାକ୍ଷ୍ୟ ପ୍ରଦାନ କରିପାରିବେ। ପୂର୍ବରୁ କାଗଜପତ୍ର ମାଧ୍ୟମରେ ସମନ୍ ପଠାଇବାରେ ବିଳମ୍ବ ହେଉଥିବାରୁ ମାମଲାଗୁଡ଼ିକ ଗଡ଼ି ଚାଲୁଥିଲା। ଇ-ସମନ୍ ବ୍ୟବସ୍ଥା ଦ୍ୱାରା ସରକାରୀ କାର୍ଯ୍ୟାଳୟର କାମ ବାଧାପ୍ରାପ୍ତ ନହୋଇ ଶୀଘ୍ର ନୋଟିସ୍ ପହଞ୍ଚିପାରିବ।













