ଭୁବନେଶ୍ୱର: ରାଜ୍ୟରେ ସମ୍ପୂର୍ଣ୍ଣ ପେପରଲେସ୍ ଓ ଡିଜିଟାଲ ଦଲିଲ ପଞ୍ଜିକରଣ ବ୍ୟବସ୍ଥା ଲାଗୁ ସହ ଦଲିଲ୍ ଦସ୍ତାବିଜକୁ ମାତ୍ର ଚାରି ପୃଷ୍ଠା ମଧ୍ୟରେ ସୀମିତ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୦୮ ମସିହାର ପଞ୍ଜିକରଣ ଆଇନ ବା ରେଜିଷ୍ଟ୍ରେସନ ଆକ୍ଟରେ ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ଗୁରୁବାର ଦିନ ଲୋକ ସେବା ଭବନ ରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପ୍ରସ୍ତାବିତ ପେପରଲେସ ରେଜିଷ୍ଟ୍ରେସନ ବା କାଗଜବିହୀନ ପଞ୍ଜିକରଣ ବ୍ୟବସ୍ଥା ଦ୍ୱାରା ନାଗରିକମାନେ ଘରେ ବସି ଅତି ସହଜରେ ପଞ୍ଜିକରଣ ସେବାର ଲାଭ ଉଠାଇପାରିବେ। ଭୂ-ଲେଖ ସହିତ ପଞ୍ଜିକରଣ ରେକର୍ଡର ଡିଜିଟାଲ ସଂଯୋଗୀକରଣ କରାଯିବା ଫଳରେ ସରକାରୀ ସେବା ପ୍ରଦାନ ପ୍ରକ୍ରିୟା ଆହୁରି ଦ୍ରୁତ, ନିର୍ଭୁଲ ଓ ସ୍ୱଚ୍ଛ ହୋଇପାରିବ। ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ୧୯୦୮ ମସିହାର ରେଜିଷ୍ଟ୍ରେସନ ଆଇନର ୮ଟି ପ୍ରଚଳିତ ଧାରାରେ ସଂଶୋଧନ ଅଣାଯିବା ସହ ୯ଟି ନୂଆ ଧାରା ଯୋଡ଼ିବାକୁ ପ୍ରସ୍ତାବ ରହିଛି । ଫଳରେ ଇଲେକ୍ଟ୍ରୋନିକ ବହି (ର-ବୁକସ୍), ଇଲେକ୍ଟ୍ରୋନିକ ଦସ୍ତଖତ (ଇ-ସିଗ୍ନେଚର) ଓ ଇଲେକ୍ଟ୍ରୋନିକ ସିଲକୁ ସମ୍ପୂର୍ଣ୍ଣ ଆଇନଗତ ମାନ୍ୟତା ପ୍ରଦାନ କରାଯିବ। ପଞ୍ଜିକୃତ ଦଲିଲଗୁଡ଼ିକର ଡିଜିଟାଲ ସଂରକ୍ଷଣ କରାଯିବା ସହିତ ଇ-ପ୍ରମାଣପତ୍ର ଓ ଡିଜିଟାଲ ନକଲକୁ ପ୍ରାମାଣିକ ମାନ୍ୟତା ମିଳିବ, ଯାହା ମୂଳ କାଗଜ ଦଲିଲ ଭଳି ସମାନ ଭାବେ ବୈଧ ବିବେଚିତ ହେବ। ପ୍ରସ୍ତାବିତ ବ୍ୟବସ୍ଥାରେ ନାଗରିକମାନେ ଅନଲାଇନ୍ ମାଧ୍ୟମରେ ଦସ୍ତାବିଜ ଦାଖଲ କରିପାରିବେ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଇଲେକ୍ଟ୍ରୋନିକ ଉପସ୍ଥିତି (ଇ-ଆପିଏରାନ୍ସ) ତଥା ଇଲେକ୍ଟ୍ରୋନିକ ଯାଂଚର ସୁବିଧା ପାଇବେ। ପ୍ରତ୍ୟେକ ସମ୍ପତ୍ତିକୁ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ବା ‘ୟୁନିକ୍ ପ୍ରପର୍ଟି ଆଇଡେଣ୍ଟିଫିକେସନ ନମ୍ବର’ (ୟୁପିଆଇଏନ) କିମ୍ବା ସରକାରୀ ଜମି ରେକର୍ଡ ସହ ଯୋଡ଼ାଯିବ। ପରିଚୟ ଯାଂଚ କ୍ଷେତ୍ରରେ ନାଗରିକଙ୍କ ସମ୍ମତିକ୍ରମେ ‘ଆଧାର’ ପ୍ରମାଣୀକରଣ କରାଯାଇପାରିବ, କିନ୍ତୁ ‘ଆଧାର’କୁ ବାଧ୍ୟତାମୂଳକ କରାଯାଇ ନାହିଁ। ‘ଆଧାର’ ବଦଳରେ ଅଫଲାଇନ ଯାଂଚ, ଅନ୍ୟାନ୍ୟ ବୈଧ ସରକାରୀ ପରିଚୟପତ୍ର କିମ୍ବା ଅନୁମୋଦିତ ଇ-ଡକ୍ୟୁମେଣ୍ଟ ମାଧ୍ୟମରେ ମଧ୍ୟ ପରିଚୟ ପ୍ରମାଣିତ ହୋଇପାରିବ।ଦଲିଲ ପ୍ରସ୍ତୁତିକୁ ସରଳ କରିବା ପାଇଁ ବିକ୍ରୟ ଦଲିଲ (ସେଲ୍ ଡିଡ୍ ), ବିକ୍ରୟ ଚୁକ୍ତିପତ୍ର (ସେଲ୍ ଏଗ୍ରିମେଣ୍ଟ), ଜେନେରାଲ ପାୱାର ଅଫ୍ ଆଟର୍ଣ୍ଣି ଓ ସ୍ଥାବର ସମ୍ପତ୍ତି ବନ୍ଧକ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଁ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଫର୍ମାଟ୍ ବା ଟେମ୍ପଲେଟ୍ ଉପଲବ୍ଧ ହେବ। ଏହାସହ ପଞ୍ଜିକରଣ ତଥ୍ୟକୁ ଭୂ-ଅଭିଲେଖ, କ୍ୟାଡାଷ୍ଟ୍ରାଲ୍ ମାନଚିତ୍ର, ରାଜସ୍ୱ ରେକର୍ଡ, ପୌରସଂସ୍ଥା, ଯୋଜନା କର୍ତ୍ତୃପକ୍ଷ ଓ ବ୍ୟାଙ୍କ ତଥା ଆର୍ଥିକ ଅନୁଷ୍ଠାନ ସହିତ ଡିଜିଟାଲ ଭାବେ ଯୋଡ଼ାଯିବ। ଫଳରେ ଦଲିଲ ପଞ୍ଜିକରଣ ହେବାମାତ୍ରେ ଜମି ଖାରଜ ବା ମ୍ୟୁଟେସନ ପ୍ରକ୍ରିୟା ସ୍ୱୟଂକ୍ରିୟ ଭାବେ ଆରମ୍ଭ ହୋଇ ଅତିକମ ସମୟରେ ଶେଷ ହୋଇପାରିବ।










