ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏକକ ବୋର୍ଡ ଅଧୀନରେ ପରିଚାଳନା କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ନୂଆ ଏକକ ବୋର୍ଡ ଗଠନ କରିବା ନେଇ ପ୍ରସ୍ତୁତି ଚାଲିଛି। CBSE ଢାଞ୍ଚାରେ ଏହି ବୋର୍ଡ ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନା କରାଯିବ। ବୋର୍ଡ ମିଶ୍ରଣ ପାଇଁ ଆଇନର ଚିଠା ପ୍ରସ୍ତୁତି ଚାଲିଛି। ଚିଠା ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ। ଦେଶରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟକ୍ରମ ଆସିସାରିଥିବା ବେଳେ ଆସନ୍ତା ବର୍ଷଠାରୁ ଦଶମ ଶ୍ରେଣୀ ପାଇଁ ମଧ୍ୟ NCERT ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିବ। ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ଜାନୁଆରୀରୁ ବିଜ୍ଞାନ ବିଷୟର ଓଡ଼ିଆ ପାଠ୍ୟପୁସ୍ତକ ଦିଆଯାଇଛି। ଆଗାମୀ ଦିନରେ ଅନ୍ୟ ବିଷୟଗୁଡ଼ିକୁ ମଧ୍ୟ ଓଡ଼ିଆରେ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି। NEP ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ଭଳି ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ଲସ୍ ଟୁ ପାସ୍ କରିବା ବେଳକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତିକମରେ ଗୋଟିଏ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଲକ୍ଷ୍ୟ ରହିଛି। ଏଥିପାଇଁ ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ଡା. ନାୟକ କହିଛନ୍ତି।











