ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ମୁଖ୍ୟ ମାୟାବତୀ ଏକ ଚାଞ୍ଚଲ୍ୟକର ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ ସଂଯୋଜକ ତଥା ତାଙ୍କ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ପାର୍ଟିରୁ ସମ୍ପୂର୍ଣ୍ଣ ଭାବେ ବହିଷ୍କୃତ କରାଯାଇଛି । ବିବାଦର ମୂଳରେ ରହିଛନ୍ତି ଆକାଶ ଆନନ୍ଦଙ୍କ ଶ୍ୱଶୁର ତଥା ପୂର୍ବତନ ସାଂସଦ ଅଶୋକ ସିଦ୍ଧାର୍ଥ । ଗତକାଲି ମାୟାବତୀ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ଅଶୋକ ସିଦ୍ଧାର୍ଥ ରାଜନୀତିରୁ ସନ୍ନ୍ୟାସ ନିଅନ୍ତି, ତେବେ ଆକାଶ ଆନନ୍ଦଙ୍କୁ ଦଳରେ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ । ଏହି ଚାପର ବଶବର୍ତ୍ତୀ ହୋଇ ଅଶୋକ ସିଦ୍ଧାର୍ଥ ତୁରନ୍ତ ରାଜନୀତିରୁ ଅବସର ଘୋଷଣା ମଧ୍ୟ କରିଥିଲେ । ମାତ୍ର ମାୟାବତୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଏକ କଡ଼ା ବିବୃତ୍ତି ଜାରି କରି କହିଛନ୍ତି । ଅଶୋକ ସିଦ୍ଧାର୍ଥ ରାଜନୀତିରୁ ଅବସର ନେବାରେ ବହୁତ ବିଳମ୍ବ କରିଛନ୍ତି । ଯଦି ସେ ଏହି ନିଷ୍ପତ୍ତି ଆଗରୁ ନେଇଥାନ୍ତେ, ତେବେ ବହୁଜନ ଆନ୍ଦୋଳନ ଏବଂ ଆକାଶ ଆନନ୍ଦଙ୍କ ସମ୍ମୁଖରେ ଏଭଳି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ପୁଣି ସେ କଟାକ୍ଷ କରି କହିଛନ୍ତି ଯେ, ଯଦି ଅଶୋକ ସିଦ୍ଧାର୍ଥଙ୍କୁ ନିଜ ଜ୍ୱାଇଁ ଆକାଶ ଆନନ୍ଦଙ୍କ ଉଜ୍ଜ୍ୱଳ ଭବିଷ୍ୟତ କିମ୍ବା ବହୁଜନ ଆନ୍ଦୋଳନର ବ୍ୟାପକ ସ୍ୱାର୍ଥ ଚିନ୍ତା ଥାନ୍ତା, ତେବେ ସେ ବିନା ଦ୍ୱିଧାରେ ବହୁ ପୂର୍ବରୁ ସନ୍ନ୍ୟାସ ଘୋଷଣା କରିସାରିଥାନ୍ତେ । ଭଣଜା ଆକାଶ ଆନନ୍ଦଙ୍କ କାର୍ଯ୍ୟକଳାପ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରି ବିଏସପି ମୁଖ୍ୟ ଲେଖିଛନ୍ତି ଯେ, ଆକାଶଙ୍କୁ ନିଜର ରାଜନୈତିକ କ୍ୟାରିୟରଠାରୁ ନିଜ ଶ୍ୱଶୁରଙ୍କ ପ୍ରତି ଅଧିକ ଦୁର୍ବଳତା ରହିଛି । ବିଏସପି ଦ୍ୱାରା ଜାରି କରାଯାଇଥିବା ଏକ ଅଫିସିଆଲ୍ ପୋଷ୍ଟକୁ ମଧ୍ୟ ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ରିପୋଷ୍ଟ କରିବାକୁ ଉଚିତ୍ ମଣିଲେ ନାହିଁ, ଯାହାକି ତାଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଥିଲା । ଏହି ଘଟଣା ପ୍ରମାଣିତ କରୁଛି ଯେ ଉଭୟ ଶ୍ୱଶୁର ଓ ଜ୍ୱାଇଁଙ୍କ ପାଇଁ ଦଳ ଏବଂ ଆନ୍ଦୋଳନର ସଫଳତା ଅପେକ୍ଷା ବ୍ୟକ୍ତିଗତ ଏବଂ ପାରିବାରିକ ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦଳୀୟ କର୍ମୀ ଏବଂ ନେତାମାନଙ୍କ ସହମତି କ୍ରମେ, ପୂର୍ବରୁ ଜାତୀୟ ସଂଯୋଜକ ପଦରୁ ଅବ୍ୟାହତି ଦିଆଯାଇଥିବା ଆକାଶ ଆନନ୍ଦଙ୍କୁ ଆଜିଠାରୁ ଦଳର ସମସ୍ତ କାର୍ଯ୍ୟକଳାପ ଏବଂ ସଦସ୍ୟତାରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି । ସେ ଯଦି ଦଳ ବାହାରେ ସ୍ୱାଧୀନ ଭାବେ ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଗଲା ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି । ଏହି ବଡ଼ ସଂଗଠନିକ ପଦକ୍ଷେପ ପରେ ଉତ୍ତରପ୍ରଦେଶର ରାଜନୈତିକ ବାତାବରଣ ଏକ ନୂଆ ମୋଡ଼ ନେଇଛି ।










