ନୂଆଦିଲ୍ଲୀ: ତେହେଲକାର ପୂର୍ବତନ ସମ୍ପାଦକ ତେଜପାଲ ଆଜି ଆତ୍ମସମର୍ପଣ କରିବା ପରେ ତାଙ୍କୁ କୋଲଭାଲେ ଜେଲକୁ ନେଇ ଯାଇଛି ପୁଲିସ। ୨୦୧୩ ମସିହା ସହକର୍ମୀଙ୍କୁ ଲିଫ୍ଟ ଭିତରେ ଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ଡରେ ବମ୍ବେ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଅଗଷ୍ଟ ୨୫ରେ ୬୨ ବର୍ଷୀୟ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ। ତେଜପାଲ ଆଜି ପ୍ରଥମେ ମାପୁସାରେ ଥିବା ଅତରିକ୍ତ ସେସନ୍ସ କୋର୍ଟରେ ଆତ୍ମସର୍ପଣ କରିଥିଲେ। ଏହାପରେ ତାଙ୍କୁ ଉତ୍ତର ଗୋଆର କୋଲଭାଲେ ସ୍ଥିତ କେନ୍ଦ୍ରୀୟ ଜେଲକୁ ନିଆଯାଇଛି। କୋର୍ଟରୁ ନିଆଯିବା ସମୟରେ ସୁପ୍ରିମକୋର୍ଟରେ ନିଜର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ତେଜପାଲ। ସେ କହିଛନ୍ତି, “ଆମେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପୁଣି ଆବେଦନ କରିବୁ। ସୁପ୍ରିମକୋର୍ଟରୁ ଆମକୁ ନିଶ୍ଚିତ ନ୍ୟାୟ ମିଳିବ।” ତେଜପାଲ ଏବେ ନିଜର ଆତ୍ମସମର୍ପଣ ପ୍ରମାଣପତ୍ର ସୁପ୍ରିମକୋର୍ଟରେ ଦାଖଲ କରିବେ। ଏହାପରେ ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ବର ୨୨ରେ ତାଙ୍କ ଆବେଦନର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।












