ଭୁବନେଶ୍ୱର: ରାଜ୍ୟର ଅର୍ଥନୀତିକୁ ଆକାଶ ଛୁଆଁ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ସହ ଅର୍ଥମନ୍ତ୍ରୀ ଭାବେ ଦାଇତ୍ୱ ତୁଲାଉଛନ୍ତି ମୋହନ ଚରଣ ମାଝୀ । ରାଜ୍ୟରେ କିଭଳି ଅର୍ଥନୈତିକ ଅଭିବୃଦ୍ଧି ଘଟିବ, ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅର୍ଥନୈତିକ ବ୍ୟାପାରରେ ପରାମର୍ଶ ଦେବା ପାଇଁ ଗଠନ ହୋଇଛି ୭ ଜଣିଆ ପରାମର୍ଶଦାତା କମିଟି । ଏହି କମିଟିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡା. ଯୁଗଳ କିଶୋର ମହାପାତ୍ର, ପାରାଦ୍ବୀପ ବନ୍ଦର ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଡ.ଶୋଭନା କୁମାର ପଟ୍ଟନାୟକ, ପ୍ରାକ୍ତନ ଅର୍ଥନୀତି ବିଶେଷଜ୍ଞ ଅରବିନ୍ଦ ମୋଦି, ଆଇସିଆର୍ଆଇଇଆର୍ ଭିଜିଟିଂ ପ୍ରଫେସର ଡା. ଦୀପକ ମିଶ୍ର, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଶ୍ରୀଜିତ ମିଶ୍ର ଓ ସର୍ବମ୍ ଏଆଇ ସହ ପ୍ରତିଷ୍ଠାତା ତଥା ସିଇଓ ପ୍ରତ୍ୟୁଷ କୁମାର ଏହି କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ରାଜ୍ୟ ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ର କମିଟି ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହି କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭବିଷ୍ୟତର ଦୀର୍ଘକାଳୀନ ଲକ୍ଷ୍ୟ, ତଥ୍ୟ କୈନ୍ଦ୍ରିକ ଓ ପ୍ରମାଣ ସିଦ୍ଧ ପରାମର୍ଶ ଦେବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ପୁରା କରିବାକୁ କମିଟି ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ ପରାମର୍ଶ ଓ ବୈଷୟିକ ସହାୟତା ଯୋଗାଇବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ, ଅର୍ଥ ସଚିବ ଓ ବଜେଟ ନିର୍ଦ୍ଦେଶକଙ୍କୁ ମଧ୍ୟ କମିଟିରେ ରଖାଯାଇଛି । ପ୍ରତି ୬ ମାସରେ ଅତି କମ୍ରେ ଥରେ ଏହି କମିଟିର ବୈଠକ ବସିବ । ଏଆଇ, ଗ୍ରୀନ ଏନର୍ଜି, ଜଳବାୟୁ ସହନଶୀଳ ଭିଭିଭୂମି ନିର୍ମାଣ, ଡିଜିଟାଲ ଅର୍ଥନୀତି, ନୀଳ ଅର୍ଥନୀତି ଓ ପ୍ରଶାସନିକ ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ନେଇ ପୂର୍ବରୁ ଥିବା ନୀତିରେ ସଂସ୍କାର ଆଣିବାକୁ କମିଟି କାମ କରିବ ।










