ଭୁବନେଶ୍ୱର: ବିଡିଏର ୧୫୩ତମ ବୋର୍ଡ ବୈଠକ ପରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦୀର୍ଘବର୍ଷ ଧରି ଅବହେଳିତ ଓ ବିଧ୍ୱଂସ୍ତ ଅବସ୍ଥାରେ ପଡ଼ିରହିଥିବା ରାଜଧାନୀର ସବୁଠୁ ଲୋକପ୍ରିୟ ନିକୋ ପାର୍କର ପୁନରୁଦ୍ଧାର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ବିଡିଏର ଏହି ପାର୍କର ନବୀକରଣ କାମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଓ ପ୍ରଶାସନିକ ମଞ୍ଜୁରୀ ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ପାର୍କ ଦେଇ ଯାଉଥିବା ନାଳ ପାଣିକୁ ଆଧୁନିକ ଜ୍ଞାନକୌଶଳରେ ଟ୍ରିଟମେଣ୍ଟ କରି ପୁନଃବ୍ୟବହାର କରାଯିବ। ଏହାସହିତ ବୋଟିଂ ବ୍ୟବସ୍ଥା, ଆକର୍ଷଣୀୟ ୱାଟର ଭ୍ୟୁ, ଓପନ ଜିମ୍, ସଂଗ୍ରହାଳୟ ଓ ପିଲାମାନଙ୍କ ପାଇଁ ମନୋରଞ୍ଜନ ପାର୍କ ନିର୍ମାଣ କରାଯାଇ ନିକୋ ପାର୍କର ପୁରୁଣା ଗୌରବ ଫେରାଇ ଅଣାଯିବ। ସେହିପରି ସହରରେ ବଢ଼ୁଥିବା ଯାନବାହନ ଭିଡ଼ ଓ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ସିଡିପି (ବିସ୍ତୃତ ଉନ୍ନୟନ ପ୍ରକଳ୍ପ) ଅଧୀନରେ ୪ରୁ ୫ଟି ପ୍ରମୁଖ ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ସହରର ଯୋଜନାବଦ୍ଧ ବିକାଶ ଓ ସାଧାରଣ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ପ୍ରାୟ ୮ଟି ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି।ଏହା ସହିତ ବିଡିଏ ପକ୍ଷରୁ ନିର୍ମିତ ‘ଏକାମ୍ର ରେସିଡେନ୍ସି’ ଆବାସିକ ପ୍ରକଳ୍ପର ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଆବାସ ପ୍ରକଳ୍ପ ପାଇଁ ଆବେଦନକାରୀଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା ଜମା କରିବାକୁ ପଡ଼ୁଥିଲା। ସେଥିରୁ ୨ ଲକ୍ଷ ଟଙ୍କା ଫେରସ୍ତଯୋଗ୍ୟ ଓ ୧୦ ହଜାର ଟଙ୍କା ଅଣଫେରସ୍ତଯୋଗ୍ୟ ରହିଥିଲା। କିନ୍ତୁ ଏବେ ସେହି ୧୦ହଜାର ଟଙ୍କାକୁ ମଧ୍ୟ ସମ୍ପୂର୍ଣ୍ଣ ଫେରସ୍ତ ପାଇଁ ନିଷ୍ପତ୍ତି ହୋଇଛି।କେବଳ ସେତିକି ନୁହେଁ, ସେଠାରେ ଘର କିଣିବା ଉପରେ ୫ ପ୍ରତିଶତ ଜିଏସଟି ଓ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଛାଡ଼ କରାଯିବ। ଯାହାଫଳରେ ଗ୍ରାହକଙ୍କୁ ପ୍ରାୟ ୫ଲକ୍ଷ ଟଙ୍କାର ସିଧାସଳଖ ରିହାତି ମଧ୍ୟ ମିଳିବ। ଏସବୁ ସୁବିଧା ସମେତ ପ୍ରଥମବର୍ଷ ପାଇଁ ବିଡିଏ ପକ୍ଷରୁ ମାଗଣା ରକ୍ଷଣାବେକ୍ଷଣ (ଫ୍ରି ମେଣ୍ଟେନାନ୍ସ) ସୁବିଧା ମିଳିବ ଓ ଏହି ଘରଗୁଡ଼ିକୁ ଫ୍ରି-ହୋଲ୍ଡ ଭିତ୍ତିରେ ଯୋଗାଇ ଦିଆଯିବ। ଯାହାଫଳରେ ପରବର୍ତ୍ତୀ ସମୟରେ ମାଲିକମାନେ ଘର ବିକ୍ରି କଲେ ବିଡିଏରୁ ଅନୁମତି ନେବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ପ୍ରଥମ ଏକବର୍ଷ ପାଇଁ ବିଡିଏ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ଷଣାବେକ୍ଷଣ ସୁବିଧା ଯୋଗାଇ ଦିଆଯିବ ଓ ଏହି ସମସ୍ତ ଘର ‘ଫ୍ରି-ହୋଲ୍ଡ’ ଭିତ୍ତିରେ ହସ୍ତାନ୍ତର ହେବ, ଯାହାଦ୍ୱାରା ଭବିଷ୍ୟତରେ ମାଲିକମାନେ ଘର ବିକ୍ରି କଲେ ବିଡିଏରୁ ଆଉ କୌଣସି ଅନୁମତି ପତ୍ର ନେବାର ଆବଶ୍ୟକତା ରହିବ ନାହିଁ । ଏହି ଆବାସିକ ପ୍ରକଳ୍ପର ଅଧିକାଂଶ ସ୍ଥାନ ଭେଣ୍ଟିଲେସନ୍, ପାର୍କ, ପାର୍କିଂ, ଜିମ୍ ଓ ଅନ୍ୟାନ୍ୟ ସୁବିଧା ପାଇଁ ଖାଲି ରଖାଯାଇଛି।









