କୋଲକାତା:ଉତ୍ତର କୋଲକାତାର ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲର ପ୍ରବେଶ ମାର୍ଗରେଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଏହି ଅଘଟଣ ଘଟିଛି।ସୂଚନା ଅନୁଯାୟୀ ଶନିବାର ମହାସପ୍ତମୀରେ ବହୁ ସଂଖ୍ୟକ ଲୋକ ଏହି ମଣ୍ଡପକୁ ବୁଲିବାକୁ ଆସିଥିଲେ।ଅତ୍ୟଧିକ ଭିଡ଼ ଏବଂ ହଠାତ୍ ପ୍ରବଳ ବର୍ଷା ଯୋଗୁଁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଏଥିରେ ୧୯ ଜଣଙ୍କ ପ୍ରାଣ ହାନି ଘଟିଛି। ୩୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ମହିଳା, ୪ ପୁରୁଷ ଏବଂ ଜଣେ ୭ ବର୍ଷୀୟ ପିଲା ଅଛନ୍ତି । ଅଘଟଣ ପରେ ପୂଜା ପେଣ୍ଡାଲକୁ ଦର୍ଶନ ପାଇଁ ବନ୍ଦ ରଖାଯାଇଛି। ଏହାକୁ ସମ୍ପୂର୍ଣ ସିଲ୍ କରିଦିଆଯାଇଛି। ପୂଜା କମିଟିର ସମସ୍ତ ସଦସ୍ୟ ଇସ୍ତଫା ଦେଇଛନ୍ତି। ପୁଜା କମିଟି ଓ ସୁରକ୍ଷା ଏଜେନ୍ସିର ସମସ୍ତଙ୍କୁ ଅଟକ ରଖାଯାଇଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ବର୍ଷା ହେଉଥିଲା ଯାହାଫଳରେ ଏଭଳି ଅଘଟଣ ଘଟିଗଲା। ଏହି ଘଟଣାର ସବିଶେଷ ତଦନ୍ତ କରାଯିବ। କଲିକତା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ। ଯେଉଁମାନେ ଦୋଷୀ ଜଣାପଡିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଓ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ଓ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି।











