ଭୁବନେଶ୍ୱର:ଭିଜିଲାନ୍ସ ମାମଲାରେ ଦାଖଲ ହେଉଥିବା ଚାର୍ଜସିଟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ନାଁକୁ ‘ସାକ୍ଷୀ’ ତାଲିକାରୁ ବାଦ୍ ଦେବା ସହ କୋର୍ଟରେ ସେମାନଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ରଶ୍ମୀରଞ୍ଜନ ସାହୁ ଏ ସମ୍ପର୍କରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ମାମଲା ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା କର୍ତ୍ତୃପକ୍ଷଙ୍କ ସମେତ ଫାଇଲ୍ ପ୍ରସ୍ତୁତ କରିଥିବା କିରାଣି, ରୁଟିନ୍ ନୋଟିଂ ଲେଖିଥିବା କର୍ମଚାରୀ, ଡ୍ରାଫ୍ଟ ଅର୍ଡର ପ୍ରସ୍ତୁତକାରୀ କିମ୍ବା ଆଦେଶନାମାରେ ଦସ୍ତଖତ କରିଥିବା ଅଧିକାରୀଙ୍କୁ ଅଭିଯୋଗ ପକ୍ଷର ‘ସାକ୍ଷୀ’ ଭାବେ ନାମିତ କରିବା ଅନୁଚିତ୍।ମାମଲାର ମୂଳ ଅପରାଧ ସମ୍ପର୍କରେ କୌଣସି ପ୍ରତ୍ୟକ୍ଷ ବ୍ୟକ୍ତିଗତ ଜ୍ଞାନ ନଥାଇ କେବଳ ସରକାରୀ ଦାୟିତ୍ୱ ନିର୍ବାହ କରିଥିବା ଏହି ଅଧିକାରୀମାନଙ୍କୁ ସାକ୍ଷୀ ଭାବେ ଦର୍ଶାଯିବା ଯୋଗୁଁ ଅନ୍ୟତ୍ର ବଦଳି ହେବା ଅବା ଅବସର ନେବାପରେ ମଧ୍ୟ ବାରମ୍ବାର କୋର୍ଟ ସମନ୍ ପାଇ ହଇରାଣ ହେଉଛନ୍ତି। ଏଥିଯୋଗୁଁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ଗୁରୁତର ପ୍ରଶାସନିକ ବ୍ୟାଘାତ ମଧ୍ୟ ସୃଷ୍ଟି ହେଉଛି। ତେଣୁ ତଦନ୍ତକାରୀ ଅଧିକାରୀ, ପବ୍ଲିକ ପ୍ରୋସିକ୍ୟୁଟର ଓ ସ୍ପେଶାଲ ପିପିମାନେ ସମ୍ପୃକ୍ତ କୋର୍ଟରେ ପିଟିସନ ଦାଖଲ କରି ଏହି ଅଧିକାରୀମାନଙ୍କୁ ବ୍ୟକ୍ତିଗତ ହାଜିରାରୁ ସମ୍ପୂର୍ଣ୍ଣ ମୁକ୍ତି ଦେବା ପାଇଁ ଆଇନଗତ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।










