ପ୍ୟାରିସ୍:ଫ୍ରାନ୍ସରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜୀବନଧାରଣର ଖର୍ଚ୍ଚ, ଚରମ ମହଙ୍ଗା, ଆର୍ଥିକ ଅସନ୍ତୁଳନ ଏବଂ ବିଦ୍ୟାଳୟଗୁଡ଼ିକରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସାଧାରଣ ଜନତା, ଶ୍ରମିକ ଏବଂ ଛାତ୍ରସମାଜ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। ଏହି ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଏକ ବିରାଟ ପ୍ରତିବାଦ ସଭା ଓ ଶୋଭାଯାତ୍ରାର ଆୟୋଜନ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ଏହି ଆନ୍ଦୋଳନ ସାଧାରଣ ଏବଂ ଶାନ୍ତିପୂର୍ଣ୍ଣ ମନେ ହେଉଥିଲେ ମଧ୍ୟ, ସମୟ ଗଡ଼ିବା ସାଙ୍ଗକୁ ଏହା ଏକ ଭୀଷଣ ଏବଂ ନିୟନ୍ତ୍ରଣ ବାହାରେ ଥିବା ହିଂସାତ୍ମକ ଅରାଜକତାର ରୂପ ନେଇଥିଲା, ଯାହାକି ସରକାର ଏବଂ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।ସରକାରୀ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଲକ୍ଷାଧିକ ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ, ଯାହା ପରେ ଦେଶର ପ୍ରମୁଖ ସହରମାନଙ୍କରେ ସମ୍ପୂର୍ଣ୍ଣ ରୂପେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା। ବିଶେଷ କରି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ସମେତ ଅନ୍ୟାନ୍ୟ ବଡ଼ ସହରଗୁଡ଼ିକରେ ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ ଉଗ୍ର ରୂପ ଧାରଣ କରି ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଠପ୍ କରିଦେଇଥିଲେ। ରାସ୍ତାଘାଟରେ ବ୍ୟାପକ ଭାଙ୍ଗଚୁର କରାଯିବା ସହିତ ଟାୟାର ଜାଳି ଏବଂ ଗାଡ଼ିମୋଟରରେ ନିଆଁ ଲଗାଇ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଏବଂ ସାଧାରଣ ଜନଜୀବନକୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ଦଙ୍ଗା ନିୟନ୍ତ୍ରକ ପୋଲିସ ଏବଂ ଉଗ୍ର ଭିଡ଼ ମଧ୍ୟରେ ଘନଘନ ମୁହାଁମୁହିଁ ସଂଘର୍ଷ ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ବହୁ ମାତ୍ରାରେ ଅଶୁଷ୍ପ ଗ୍ୟାସ ଗୋଳା ଏବଂ ପାଣି ମାଡ଼ କରାଯାଇଥିଲେ ମଧ୍ୟ ଉପଦ୍ରବୀମାନେ ପଛକୁ ହଟି ନଥିଲେ।ଏହି ସମଗ୍ର ହିଂସାତ୍ମକ ପ୍ରତିବାଦ ଏବଂ ସଂଘର୍ଷରେ ଦେଶର ମୋଟ ୧୫୦ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ସମଗ୍ର ଦେଶରେ ବ୍ୟାପକ ଚଢ଼ଉ କରାଯାଇଛି। ଏହି ହିଂସାକାଣ୍ଡ ଏବଂ ଅରାଜକତାରେ ସାମିଲଥିବା ୧୨୦୦ରୁ ଅଧିକ ଉପଦ୍ରବୀ ଏବଂ ଦଙ୍ଗାକାରୀଙ୍କୁ ପୋଲିସ ଗିରଫ କରିଛି l










