ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଦେଶର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱଶାସିତ ଭାବେ ରାଷ୍ଟ୍ରୀୟ ଏକତା ଦିବସ ଓ ସ୍ୱତନ୍ତ୍ର ଏକତା ପଦଯାତ୍ରା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ନିଜର ପ୍ରେରଣାଦାୟୀ ଅଭିଭାଷଣରେ ସର୍ଦ୍ଦାର ପଟେଲଙ୍କ ଅତୁଲନୀୟ ବ୍ୟକ୍ତିତ୍ୱ ଏବଂ ଦେଶକୁ ଏକଜୁଟ କରିବାରେ ତାଙ୍କର ଯୋଗଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଆଜି ସାରା ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ସହ ଏକତା ପଦଯାତ୍ରାର ଆୟୋଜନ କରାଯାଉଛି। ପ୍ରତ୍ୟେକ ନାଗରିକ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ସୂରଜ ଆହୁରି ମଧ୍ୟ ଆହ୍ୱାନ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶ ଓ ରାଜ୍ୟର ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି। ଦୁଇ ହଜାର ଛବିଶ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ଦୁଇ ହଜାର ସେଚାଳିଶ ସୁଦ୍ଧା ବିକଶିତ ଭାରତ ଗଠନର ଯେଉଁ ମହତ୍ ଲକ୍ଷ୍ୟ ରଖାଯାଇଛି, ତାହାକୁ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ଏଥିସହ ଏକ ଭାରତ ଶ୍ରେଷ୍ଠ ଭାରତର ସପ୍ନକୁ ସାକାର କରିବା ଦିଗରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here