ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ । ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ମେକ୍ ଇନ୍ ଓଡିଶା କନକ୍ଲେଭକୁ ନେଇ ଆଜି ପୁଣି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବାବେଳେ ଆଗକୁ ନିର୍ବାଚନ ଥିବାରୁ ଏପରି କରାଯାଉଛି ବୋଲି କହିଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ଏହା ଏକ ଇଭେଣ୍ଟମ୍ୟାନେଜ୍‌ମେଣ୍ଟ ଭଳି ଚାଲିଛି ବୋଲି ସେ କହିଛନ୍ତି । ଗତ ୨୦୧୬ରେ ହୋଇଥିବା କନ୍‌କ୍ଲେଭ୍‌ରେ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥରେ ରାଜ୍ୟ ସହିତ ଚୁକ୍ତି ସ୍ୱାକ୍ଷର କରିଥିବା ମାତ୍ର ୮ ପ୍ରତିଶତ କମ୍ପାନୀ କାମ କରୁଛନ୍ତି । ସେହିପରି ୯ଟି ପ୍ରକଳ୍ପ କାମ ଚାଲୁଥିବାବେଳେ ୨୨ ଟି ପ୍ରକଳ୍ପର ଚୁକ୍ତି ବାତିଲ ହୋଇଛି ଏବଂ ୧୬ଟି ଇସ୍ପାତ କମ୍ପାନୀ ଫେରି ଯାଇଛନ୍ତି । ଏହା ମେକ୍ ଇନ୍ ଓଡ଼ିଶାର ବିଫଳତାର ପ୍ରମାଣ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଶିଳ୍ପ ପାଇଁ ଜମି ଯୋଗାଇବାରେ ଓଡିଶା ସାରା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଥିବା ସମ୍ପାଦକ କହିଛନ୍ତି ।

      ଅନ୍ୟପକ୍ଷରେ ପିସିସି ସଭାପତି ମଧ୍ୟ ଅନୁରୂପ ଆରୋପ ଲଗାଇଛନ୍ତି । ରାଜ୍ୟ ସରକାର ପ୍ରଚାର ସର୍ବସ୍ୱ । ୧୮ ବର୍ଷରେ ଅନେକ ଚୁକ୍ତି ହୋଇଛି । କିନ୍ତୁ ପସ୍କୋ ସମେତ ଅନେକ ଫେରି ଗଲେଣି । ଏହା ସହିତ ଯେଉଁ କମ୍ପାନୀଗୁଡ଼ିକ ପଡ଼ି ରହିଛନ୍ତି ତାହା ଜରାଜୀର୍ଣ୍ଣ ଓ ବିକ୍ରି ଅବସ୍ଥାରେ ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି କାମ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।
ମେକ୍‌ ଇନ୍‌ ଓଡ଼ିଶା ନାଁରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି ବୋଲି କହିଛି କଂଗ୍ରେସ । ବିଗତ ସାଢ଼େ ଅଠର ବର୍ଷରେ ଶିଳ୍ପାୟନ କ୍ଷେତ୍ରରେ ବିଫଳତାକୁ ଲୁଚାଇବା ଏବଂ ଅନ୍ୟଟି ନିର୍ବାଚନ ପୂର୍ବରୁ ଏହି ଉତ୍ସବ ଆଳରେ ଶିଳ୍ପପତିଙ୍କଠାରୁ ନିର୍ବାଚନ ପାଣ୍ଠି ଯୋଗାଡ କରିବା। ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଦ୍ୱାରା ଓଡ଼ିଶାର ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନର ଯେଉଁସବୁ ଚିତ୍ର ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ବାଣ୍ଟୁଛନ୍ତି ତାହା କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି. ଯଦି ଶିଳ୍ପ ବିକାଶ ନେଇ ସରକାରଙ୍କର ପ୍ରକୃତରେ ଆନ୍ତରିକତା ଅଛି, ତା’ହେଲେ ଉପରୋକ୍ତ ପ୍ରସଙ୍ଗରେ ବିଫଳତାର ଯେଉଁ ତଥ୍ୟ ଦିଆଯାଇଛି ତାର ସ୍ପଷ୍ଟିକରଣ ଶିଳ୍ପମନ୍ତ୍ରୀ ଓ ଶିଳ୍ପ ସଚିବ ଦେବେକି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।
୫ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା କନ୍‌କ୍ଲେଭ୍‌ରେ ୬ଟି ଦେଶର ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here