ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ କ’ଣ କରିବେ? ନୂଆ ଦଳ ଗଢିବେ ନା ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହେବେ? ଏଭଳି ଅନେକ ପ୍ରଶ୍ନକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଥିଲା । ଶନିବାର ଏହାର ଖୁଲାସା କରିଛନ୍ତି ଦାମବାବୁ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ରାଜ୍ୟରେ ତାଙ୍କ ନେତୃତ୍ୱରେ ଏକ ନୂଆ ଦଳ ଗଠନ ହେବ । ଏହାର ନାମ ବିଜୁ ସମତା କ୍ରାନ୍ତି ଦଳ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପାରାଦୀପ ସର୍କିଟ ହାଉସଠାରେ ଆୟୋଜିତ ଏକ ଖବରଦାତା ସମ୍ମଳିନୀରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଏହି ଦଳରେ ଅନ୍ୟ କେଉଁ ନେତା ରହିବେ ସେନେଇ କିଛି ସ୍ପଷ୍ଟ କରିନାହାଁନ୍ତି । ଯେଉଁଦିନ ଦଳ ବିଧିବଦ୍ଧ ଭାବେ ଆତ୍ମପ୍ରକାଶ ପାଇବ ସେହିଦିନ ଦଳର ନୀତିଗତ ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରାଯିବ।
ଏହି ଅବସରରେ ବିରୋଧୀ ମାନଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ । ସମସ୍ତେ କିପରି ଦୁର୍ନୀତିଗ୍ରସ୍ତ, ପ୍ରିୟାପ୍ରୀତି ତୋଷଣ କରି ଆତ୍ମୀୟଙ୍କ ନାଁରେ ବ୍ୟବସାୟ, ଚାକିରି ଆଦି କରାଇଛନ୍ତି ସେ ସବୁ ବଖାଣିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ଯାଇ ସେ କହିଛନ୍ତି ଯେ, ରାଜନୀତି ଉତ୍ତରାଧିକାରୀ ସୂତ୍ରରେ ମିଳେନାହିଁ। ଏହା କୌଣସି ଜମି କିମ୍ବା ସମ୍ପତ୍ତି ନୁହେଁ। ସେଥିପାଇଁ ବିଜୁବାବୁ ଜୀବିତ ଥିବାବେଳେ ତାଙ୍କ ବଂଶଧରଙ୍କୁ ରାଜନୀତିକୁ ଆଣି ନ ଥିଲେ। ସେହିପରି ଗତ ୫ ତାରିଖରୁ ଭାଜପା ଓ ବିଜେଡି ମଧ୍ୟରେ ବେକାରି ସମସ୍ୟାକୁ ନେଇ ଚାଲିଥିବା ଆରୋପ-ପ୍ରତ୍ୟାରୋପକୁ ସେ ନାଟକ ବୋଲି କହିଛନ୍ତି। ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଓ ବିଜୁ ଯୁବବାହିନୀକୁ ସେ ତୀବ୍ର ଭର୍ତ୍ସନା କରିଥିଲେ।

LEAVE A REPLY

Please enter your comment!
Please enter your name here