ରାଗ ମଣିଷର ହିତାହିତ ଜ୍ଞାନ ହଜାଇ ଦେଇଥାଏ . ମଣିଷ ଭୁଲିଯାଇଥାଏ ଭୁଲ, ଠିକର ପାଚେରୀ . ଆଉ ପ୍ରତିଶୋଧ ପରାୟଣ ହୋଇ ଭିଆଇଥାଏ ଜଘନ୍ୟ ଅପରାଧ . ହେଲେ ଏହି ଉଗ୍ର ମାନସିକତା ଯେ ମଣିଷକୁ ଏତେ ହିଂସ୍ର କରିଦିଏ ତାହା ସହଜରେ ବିଶ୍ୱାସ କରିହେବନି . ଜଣେ ମହିଳା ପ୍ରତିଶୋଧ ପରାୟଣ ହୋଇ ନିଜ ଏକ୍ସ ବଏଫ୍ରେଣ୍ଡକୁ ମାରି ତା ଶବକୁ ଟିକ ଟିକ କରି ତା ମାଂସରେ ବିରିଆନି ବନାଇଛି . ଘଟଣାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ .
ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ସଂଯୁକ୍ତ ଆରବ ଏମିରେଟସ ବା ୟୁଏଇର ଅଲ ଆଇନ ସହରରେ . ଜଣେ ୩୦ ବର୍ଷୀୟା ମହିଳା ପ୍ରଥମେ ନିଜ ଏକ୍ସ ବଏ ଫ୍ରେଣ୍ଡକୁ ଘରକୁ ଡକାଇଥିଲା . ପରେ ଏକ ଧାରୁଆ ଅସ୍ତ୍ରରେ ତାକୁ ହତ୍ୟା କରି ତାର ଶବକୁ ଟିକ ଟିକ କରି କାଟି ଖଣ୍ଡ ବିଖଣ୍ଡିତ କରିଦେଇଥିଲା . ହେଲେ ସେତିକିରେ ବି ତା ରାଗ ଶାନ୍ତ ହୋଇନଥିଲା . ସେହି ଖଣ୍ଡବିଖଣ୍ଡିତ ମାଂସରେ ବିରିଆନି ବନାଇ ପାଖରେ କାମକରୁଥିବା କିଛି ଶ୍ରମିକ ମାନଙ୍କୁ ସେ ଖାଇବାକୁ ଦେଇଥିଲା . ଏହା ଛଡ଼ା ବଳକା ମାଂସକୁ ନେଇ କୁକୁର ମାନଙ୍କୁ ଖାଇବାକୁ ଦେଇଥିଲା .
ପରବର୍ତ୍ତୀ ସମୟରେ ମୃତକଙ୍କଭାଇ ତାଙ୍କର ଖୋଜ ଖବର ନ ପାଇବାରୁ ମହିଳାଙ୍କ ଘରେ ପହଁଚିଥିଲେ . ହେଲେ ମହିଳା ଜଣକ କିଛି ଜାଣିନଥିବାର କହିଥିଲା. ହେଲେ ହଠାତ ମୃତକଙ୍କ ଭାଇଙ୍କ ନଜର ପଡ଼ିଥିଲା ମହିଳାଙ୍କ ଘରେ ଥିବା ମିକ୍ସର ଗ୍ରାଇଣ୍ଡର ଉପରେ ଆଉ ତା ଭିତରୁ ମିଳିଥିଲା ତାଙ୍କୁ ମଣିଷ ଦାନ୍ତ . ଏ ସମ୍ବନ୍ଧରେ ସେ ପୁଲିସରେ ଅଭିଯୋଗ କରିଥିଲେ . ଆଉ ଏହି ଗ୍ରାଇଣ୍ଡରରେ ଫସିଥିବା ଦାନ୍ତ ମହିଳାକୁ ପହଁଚାଇଥିଲା ଜେଲର ଚାରି କାନ୍ଥ ମଧ୍ୟକୁ . ମିଳିଥିବା ଦାନ୍ତଟିର ଡିଏନଏ ଟେଷ୍ଟ କରିବାରୁ ତାହା ମହିଳାର ଏକ୍ସ ବଏଫ୍ରେଣ୍ଡର ବୋଲି ସ୍ପଷ୍ଟ ହୋଇଯାଇଥିଲା .
“ଖଲିଜ ଟାଇମ୍ସ” ରିପୋର୍ଟ ଅନୁଯାୟୀ ମହିଳା ଜଣକ କୋର୍ଟରେ ସବୁ ସତ ମାନିଯାଇଥିଲା . ତା ଏକ୍ସ ବଏଫ୍ରେଣ୍ଡ ତାକୁ ଧୋକା ଦେଇ ଅନ୍ୟ ଝିଅ ସହ ସଂପର୍କ ରଖିଥିଲା ଓ ତା ପରେ ତାଙ୍କ ବ୍ରେକଅପ୍ ହୋଇଥିଲା . ତେଣୁ ସେ ପ୍ରତିଶୋଧ ନେବା ପାଇଁ ଏଭଳି ନିର୍ମମ ହତ୍ୟାକାଣ୍ଡ କରିଥିବା କୋର୍ଟ ଆଗରେ ମାନିଥିଲା ।