ମହାନଦୀ ପୋଲ ଉପରେ ବସ ଖସିପଡିବା ଘଟଣାରେ ୩ ଜଣିଆ ଟିମ୍ ତଦନ୍ତ ସରିଛି । ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ ଦଳ । ମଇଁଷି ଯୋଗୁ ହିଁ ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମଇଁଷିଟି ଅଚାନକ ବସ ଆଗକୁ ଆସିଯାଇଥିଲା । ବସ ଓ ମଇଁଷି ମଧ୍ୟରେ ଦୂରତା କମ ଥିବାରୁ ଡ୍ରାଇଭର ହଡବଡ ହୋଇଯାଇଥିଲେ । ତେଣୁ ଡ୍ରାଇଭର ବ୍ରେକ ମାରିବାର ସୁଯୋଗ ପାଇନଥିଲେ ବୋଲି କହିଛନ୍ତି ତଦନ୍ତକାରୀ ଟିମ୍ । ମଇଁଷିଟି ଧକ୍କା ହେବା ପରେ ପ୍ରାୟ ୨୮ ମିଟର ଘୋଷାଡି ହୋଇ କଂକ୍ରିଟ ରେଲିଂରେ ମାଡ ହୋଇଥିଲା । ଏହା ସହିତ ବସଟି ୨୦୧୬ ମସିହାର ଏବଂ ଏହି ବସରେ ସ୍ପିଡ୍ କଂଟ୍ରୋଲର ଲଗାଯାଇଥିଲା, ତେଣୁ ଘଣ୍ଟା ପ୍ରତି ୮୦ କିମିରୁ ଅଧିକ ବେଗରେ ଏହି ଗାଡିକୁ ଚାଳକ ଚଳାଇପାରିବେ ନାହିଁ ବୋଲି କହିଛନ୍ତି ତଦନ୍ତକାରୀ । ଏହା ସହିତ ପୁରୁଣା ପୋଲର ଦୁର୍ବଳ ବାଡ ବସଟି ତଳକୁ ଖସିପଡିବାର ଆଉ ଏକ କାରଣ ବୋଲି ମଧ୍ୟ କହିଛନ୍ତି ଯାଞ୍ଚକାରୀ । ରାଧାକ୍ରିଷ୍ଣ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ ୩ ଜଣିଆ କମିଟି ଘଟଣାସ୍ଥଳକୁ ଯାଇ ଆଜି ତଦନ୍ତ କରିଛନ୍ତି । ଏଥିରେ ରୋଡ ସେଫଟି ଅଫିସର ଭାବେ ଜୁନିଅର ଏମଭିଆଇ, ଘଟଣାର ତଦନ୍ତ କରୁଥିବା ଜଗତପୁର ଥାନାର ଅଧିକାରୀ ଏବଂ ଏନଏଚଆଇର ଅଧିକାରୀ ସାମିଲ ହୋଇଥିଲେ । ଗୁରୁବାର ଏହି ଟିମ୍ ମହାନଦୀ ଭିତରକୁ ବୋଟ ଯୋଗେ ଯାଇ ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here