ଭାରତୀୟ ଗଣତନ୍ତ୍ରକୁ ବଳିଷ୍ଟ କରିବା ଦିଗରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ଆବଶ୍ୟକ ରହିଛି.  ରାଜନୀତିକ ଦଳମାନେ କ୍ଷମତା ହାସଲ ପାଇଁ ଗଣମାଧ୍ୟମକୁ ବ୍ୟବହାର କରୁଥିବା ଏବଂ ଗଣମାଧ୍ୟମ ସଂସ୍ଥାଗୁଡିକ ଅର୍ଥ ପାଇଁ ରାଜନୈତିକ ଦଳ ଦ୍ବାରା ବ୍ୟବହୃତ ହେବା ଉଚିତ ନୁହେଁ. ତକ୍ଷକ ଟିଭି ଲୋକାର୍ପଣ ଉତ୍ସବ ଅବସରରେ ଆୟୋଜିତ ସ୍ବତନ୍ତ୍ର ବିତର୍କ ସାମ୍ବାଦିକତାରେ ରାଜନୈତିକ ହସ୍ତକ୍ଷେପ ପ୍ରସଙ୍ଗରେ ଭାଗ ନେଇ ବିଭିନ୍ନ ଦଳର ରାଜନେତାମାନେ ଏହା କହିଛନ୍ତି.  ବିତର୍କରେ ନିଜ ମତ ରଖି ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଥିଲେ, ସାମ୍ବାଦିକତାରେ ରାଜନୀତିକ ହସ୍ତକ୍ଷେପ ହେଉଥିବା କଥାକୁ ଏଡାଇ ଦେଇହେବନାହିଁ. ଅଧିକାଂଶ ଗଣମାଧ୍ୟମ ସଂସ୍ଥାମାନେ ରାଜନୈତିକ ଦଳ ସହ ସଂପର୍କ ରଖି କାର୍ଯ୍ୟ କରୁଛନ୍ତି. ତେବେ ଗଣମାଧ୍ୟମ ସଂସ୍ଥାମାନେ ରାଜନୈତିକ ଦଳ ଦ୍ବାରା କାହିଁକି ବ୍ୟବହୃତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ. ସେହିପରି ଆପ ନେତା ସୁବାଶୀଷ ପଟ୍ଟନାୟକ ଗଣମାଧ୍ୟମ ସଂସ୍ଥା ଉପରେ ରାଜନୈତିକ ହସ୍ତକ୍ଷେପ ଦ୍ବାରା ନିରପେକ୍ଷ ଖବର ପରିବେଷଣ ସମ୍ଭବ ହେବ ନାହିଁ ବୋଲି କହିଥିଲେ. ଏହା ସୁସ୍ଥ ଗଣତାନ୍ତ୍ରିକ ପରଂପରା ନୁହେଁ. ସିପିଆଇ ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା ବର୍ତ୍ତମାନ ସ୍ଥିତିରେ ଗଣମାଧ୍ୟମ କର୍ପୋରେଟ ହାଉସ ଦ୍ବାରା ପରିଚାଳିତ ହେଉଛି ଏବଂ କେଉଁ ଖବର କେମିତି ବାହାରିବ, ତାକୁ ରାଜନୈତିକ ଦଳମାନେ ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ କରୁଛନ୍ତି ବୋଲି କହିଥିଲେ. ଗଣମାଧ୍ୟମ ସଂସ୍ଥା ଉପରେ ରାଜନୈତିକ ହସ୍ତକ୍ଷେପକୁ ରୋକିବାକୁ ହେଲେ ସାମ୍ବାଦିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର. କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜନୈତିକ ଦଳଗୁଡିକ ନିଜ ସ୍ବାର୍ଥ ପାଇଁ ଗଣମାଧ୍ୟମକୁ ଅପବ୍ୟବହାର  କରିବା ଏବଂ ଜନମାନସକୁ ବିଭ୍ରାନ୍ତ କରୁଥିବାରୁ ସେମାନଙ୍କ ପାଇଁ ଆଚରଣ ସଂହିତା ରହିବା ଆବଶ୍ୟକ ରହିଛି ବୋଲି କହିଥିଲେ.   ଜୟଦେବ ଭବନରେ ଆୟୋଜିତ ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ଶ୍ରୀ ଡି. ପ୍ରକାଶ ରାଓ ତକ୍ଷକ ଟିଭିକୁ ଲୋକାର୍ପିତ କରିଥିଲେ. ଚା ଦୋକାନ କରି ଗତ କୋଡିଏ ବର୍ଷ ଧରି କଟକ ବକ୍ସି ବଜାରରେ ପିଲାଙ୍କୁ ପାଠ ପଢାଇ ଆସୁଥିବା ଶ୍ରୀ ଡି. ପ୍ରକାଶ ରାଓ ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ ଏବଂ ସବୁ ଅସାଧ୍ୟକୁ ସାଧନ କରାଯାଇପାରିବ ବୋଲି କହିଥିଲେ.  ଶ୍ରୀ ରାଓ ତାଙ୍କ ଜୀବନ ସଂଘର୍ଷର ତିକ୍ତ ମଧୁର ଅନୁଭବ ସଂପର୍କରେ ବକ୍ତବ୍ୟ ରଖିଥିଲେ. ତକ୍ଷକ ଟିଭି ପକ୍ଷରୁ ଶ୍ରୀ ଡି. ପ୍ରକାଶ ରାଓଙ୍କ ଉପରେ ପ୍ରସ୍ତୁତ କ୍ଷୁଦ୍ରଚିତ୍ର ‘ ଚା କପରେ ସ୍ବପ୍ନ’ ପ୍ରଦର୍ଶନ କରାଯାଇଥିଲା. ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାଓଙ୍କୁ ସ୍ତମ୍ଭକାର ଡାକ୍ତର ଲକ୍ଷ୍ମୀଧର ମହାନ୍ତି ଉତ୍ତରୀୟ ଓ ଉପଢୌକନ ସହ ସମ୍ବର୍ଧିତ କରିଥିଲେ.  ତକ୍ଷକ ଟିଭିର ମୁଖ୍ୟ ସଂପାଦକ ଶ୍ରୀ ଅପୂର୍ବ କୁମାର ମହାନ୍ତି ବିତର୍କ ସଞ୍ଚାଳନ କରିଥିଲେ. ଯମୁନା ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୌଭାଗିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ. ଶ୍ରୀ ନିଗମାନନ୍ଦ ଧର, ଶ୍ରୀ ଅରବିନ୍ଦ ନାୟକ, ପ୍ରତ୍ୟୁଷ ମହାନ୍ତି, ପଙ୍କଜିନୀ ନାୟକ, ଆନନ୍ଦ ଘଡେଇ ଓ ସୁଶାନ୍ତ ମହାକୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here