ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଭୋଟ ଗ୍ରହଣ ହେବ । ଗୁରୁବାର ସକାଳ ୫ଟା୩୦ ମକ ପୋଲ ପରେ ୭ଟାରୁ ଭୋଟ୍ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ପାଇଁ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ୯,୧୧୭ଟି ବୁଥରୋ ଭୋଟ୍ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୩୯,୪୫,୦୨୫ପୁରୁଷ, ୩୭,୪୭, ୪୯୩ ମହିଳା ଓ ୬୦୫ ଜଣ ତୃତୀୟ ଲିଙ୍ଗର ଭୋଟରଙ୍କୁ ମିଶାଇ ମୋଟ ୭୬ଲକ୍ଷ ୯୩ହଜାର ୧୨୩ଜଣ ଭୋଟର ଅଛନ୍ତି । ୫ଟି ଲୋକସଭା ଆସନ ପାଇଁ ୩୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୩୦ଜଣ ପୁରୁଷ ପ୍ରାର୍ଥୀ ଓ ୫ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି ୩୫ଟି ବିଧାନସଭା ଆସନ ପାଇଁ ୨୪୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ବିଜେପୁର ଏବଂ ହିଞ୍ଜିଳି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରମିଳା ବିଶୋୟୀ । ପ୍ରମିଳାଙ୍କ ସହ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ ।
ସୁନ୍ଦରଗଡ଼ ଲୋକସଭା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବା ବେଳେ ସେଠାରେ ବିଜେଡିରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଜର୍ଜ ତିର୍କୀ ।
ବଲାଙ୍ଗୀର ଲୋକସଭା ଆସନରେ ବିଜେଡିରୁ ସାଂସଦ କଳିକେଶ ସିଂହଦେଓ, ବିଜେପିରୁ ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ ଏବଂ କଂଗ୍ରେସରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି ।
ବଲାଙ୍ଗୀର ବିଧାନସଭା ଆସନ ପାଇଁ କଂଗ୍ରେସରୁ ନରସିଂହ ମିଶ୍ର ଥିବାବେଳେ ବିଜେଡି ପ୍ରାର୍ଥୀ ସାଂସଦ କଳିକେଶଙ୍କ ଭାଇ ଅର୍କେଶ ନାରାୟଣ ସିଂହଦେଓ ।
ବରଗଡ଼ ଲୋକସଭା ଆସନରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ସେଠାରେ ବିଜେପି ପ୍ରାର୍ଥୀ ଅଛନ୍ତି ସୁରେଶ ପୂଜାରୀ ।
କନ୍ଧମାଳ ଲୋକସଭା ଆସନରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି । ତାଙ୍କୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ।
ପଦ୍ମପୁରରୁ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ବିଜେଡିରୁ ପୂର୍ବତନ ବିଧାୟକ ବିଜୟରଞ୍ଜନ ସିଂହ ବରିହା, ବିଜେପୁରରୁ କଂଗ୍ରେସର ରିପୁନାଥ ସେଠୀ, ଅତାବିରାରୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭଟଲୀରୁ ମନ୍ତ୍ରୀ ସୁଶାନ୍ତ ସିଂହ, ବ୍ରଜରାଜନଗରରୁ ବିଜେଡିର କିଶୋର ମହାନ୍ତି, ବିଜେପିର ବିଧାୟିକା ରାଧାରାଣୀ ପଣ୍ଡା, ଝାରସୁଗୁଡ଼ାରୁ ବିଜେଡିର ନବଦାସ, ତଳସରାରୁ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି, ସୁନ୍ଦରଗଡ଼ରୁ ବିଜେଡିର ଯୋଗେଶ ସିଂହ, ବିଜେପିର କୁସୁମ ଟେଟେ ଓ କଂଗ୍ରେସର ଅମିତା ବିଶ୍ୱାଳ ଲଢୁଛନ୍ତି । ସେହିପରି ରାଜଗୋଙ୍ଗପୁର ବସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ମଙ୍ଗଳା କିଷାନ । ସୋନପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ପାଟଣାଗଡରେ ବିଜେପିରୁ କନକବର୍ଦ୍ଧନ ସିଂହଦେଓ ନିର୍ବାଚନ ଲଢୁଛନ୍ତି । ଟିଟିଲାଗଡ଼ରେ ବିଧାୟିକା ଟୁକୁନି ସାହୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସେଠାରେ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ପ୍ରାର୍ଥୀ ହୋଇଛନ୍ତି । ବୌଦ୍ଧ ଆସନରେ ବିଜେଡି ପ୍ରଦୀପକୁମାର ଅମାତଙ୍କୁ ପ୍ରାର୍ଥୀ କରିଛି । ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, କବିସୂର୍ୟ୍ୟନଗରରେ ଲତିକା ପ୍ରଧାନ ବିଜୁ ଜନତା ଦଳ ପ୍ରାର୍ଥୀ ରହିଛନ୍ତି । ସାନଖେମୁଣ୍ଡିରେ ବିଧାୟିକା ନନ୍ଦିନୀ ଦେବୀଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସର ରମେଶଚନ୍ଦ୍ର ଜେନା । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀହୋଇଛନ୍ତି ବିଜେପିର ପିତାମ୍ୱର ଆଚାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here