ଶେଷରେ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି. ଉଦଘାଟନୀ ଉତ୍ସବରେ ଇତିହାସ ରଚିବାକୁ ଯାଉଛି ଓଡିଶା. ମଙ୍ଗଳବାର ସନ୍ଧ୍ୟା 5.30ରେ ବିଶ୍ୱକପ୍ ହକିର ଉଦଘାଟନ ହେବାକୁ ଯାଉଛି. ଏଥିପାଇଁ ପ୍ରସ୍ତୁତ ହୋଇସାରିଛି କଳିଙ୍ଗ ଷ୍ଟାଡିୟମ. ଆଉ ମଞ୍ଚ ଉପରେ ଜଲୱା ଦେଖେଇବାକୁ ପ୍ରସ୍ତୁତ ହୋଇସାରିଛନ୍ତି ବଲିଉଡ ଷ୍ଟାର ଶାହାରୁଖ, ମାଧୁରୀ ଓ ଏଆର୍ ରହମାନ. ଅନ୍ୟପଟେ ଏହି ଉଦଘାଟନୀ ଉତ୍ସବକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ଏହାଛଡା ବିମାନବନ୍ଦର ଓ ହୋଟେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. 300ରୁ ଅଧିକ ଇନସ୍ପେକ୍ଟରଙ୍କୁ ଆୟୋଜିତ କରାଯିବା ସହ 75 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି. ଏଥିପାଇଁ ଦର୍ଶକଙ୍କ ପ୍ରବେଶ ଦିନ 2ଟାରୁ ହେବ. ଷ୍ଟାଡିୟମରେ ସମୁଦାୟ 9ଟି ଗେଟ୍ ଥିବାବେଳେ ଦର୍ଶକ ସବୁ ଗେଟ୍ ଦେଇ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଛି. ମିଳିଥିବା ସୂଚନା ଅନୁସାରେ, ଭିଭିଆଇପିମାନେ 9 ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ. 2 ନମ୍ବର ଗେଟ୍ ରେ ଗଣମାଧ୍ୟମ ପ୍ରତିନିଧି ଓ ମ୍ୟାଚ ଅଫିସିଆଲ୍ସ ପ୍ରବେଶ କରିବେ ଓ 4 ନମ୍ବର ଗେଟ ଦେଇ ଖେଳାଳୀମାନେ ପ୍ରବେଶ କରିବେ. ତେବେ 2, 4, ଓ 9 ନମ୍ବର ଗେଟକୁ ଛାଡି ଅନ୍ୟ 6ଟି ଗେଟ ମାଧ୍ୟମରେ ଦର୍ଶକ ପ୍ରବେଶ କରିପାରିବେ. ତେବେ ବାଦଶାହା ଶାହାରୁଖ୍ ଭ୍ୟାନିଟି ଭ୍ୟାନ ସହ ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି. ବିମାନ ବନ୍ଦରରେ ପହଞ୍ଚିବା ପରେ ସେ କଡା ସୁରକ୍ଷା ଭିତରେ ସିଧାସଳଖ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ପ୍ରୋଗ୍ରାମ ସାରି ପୁଣି ଫେରିଯିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି. ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟାଡିୟମ ଭିତରକୁ କେତେକ ଜିନିଷ ନେବା ପାଇଁ ବାରଣ କରାଯାଇଛି. ଯାହା ମଧ୍ୟରେ ପାଣି ବୋତଲ, ଦିଆସିଲି, କଏନ ପଇସା, ଛୋଟ ଛୁରି ଓ ଲାଇଟର୍ ଆଦି ପ୍ରବେଶ ଉପରେ ବାରଣ କରାଯାଇଛି. ଏହାକୁ ବାଦ୍ ଦେଲେ କଳିଙ୍ଗ ଷ୍ଟାଡିୟମରେ ହେଉଥିବା ସମସ୍ତ କାର୍ଯ୍ୟରେ ଡ୍ରୋନ୍ କ୍ୟାମେରା ନଜର ରଖିବ ବୋଲି ଜଣାପଡିଛି.

LEAVE A REPLY

Please enter your comment!
Please enter your name here