ଗାଡି ମୁକୁଳାଇବା କିମ୍ବା ବିଭିନ୍ନ ପ୍ରକାର କର ଦେବା ପାଇଁ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା. ଆଜ୍ଞା ହଁ, ଯେତେବେଳେ ଜଣେ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲ୍ଲଘଂନ କରେ ତା ଠାରୁ ଫାଇନ ଆଦାୟ କରାଯାଉଥିଲା ଏବଂ ଫାଇନ ନ ଦେଲେ ପୋଲିସ ଗାଡିକୁ ମଧ୍ୟ ନେଇଯାଉଥିଲା. ଯେଉଁଥିପାଇଁ ଗାଡି ଚାଳକଙ୍କୁ ଥାନାକୁ ଯାଇ ଫାଇନ ଦେଇ ଗାଡି ମୁକୁଳାଇବାକୁ ପଡୁଥିଲା. ମାତ୍ର ଏବେ ଆଉ ଥାନାକୁ ଯାଇ ଫାଇନ ଦେବାକୁ ପଡିବନି. ପୋଲିସ୍ କାଟୁଥିବା ମାନୁଆଲ ରସିଦ୍ କୁ ଦୂର କରିବା ପାଇଁ ଗୁରୁବାରଠାରୁ ସାରା ଓଡିଶାରେ ଆରମ୍ଭ ହୋଇଛି ଇ-ଚାଲାଣ ବ୍ୟବସ୍ଥା. ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁ, ଗୀତ ଗୋବିନ୍ଦ ସଦନରେ ଇ-ଚାଲାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି. ଏହାର ଶୁଭାରମ୍ଭ ଫଳରେ ପରିବହନ ବିଭାଗକୁ ବିଭିନ୍ନ ପ୍ରକାର କର, ଜରିମାନାକୁ ଅନଲାଇନ ମାଧ୍ୟମରେ ପ୍ରାପ୍ତ କରିପାରିବ. ଏହାସହ ଗାଡି ଚାଳକମାନେ ମଧ୍ୟ ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ନିଜର ଫାଇନ ଦେଇପାରିବେ. ଦେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଟର ସାଇକେଲ ସହ ଜଡିତ ବିଭିନ୍ନ ପ୍ରକାର ଜରିମାନା ଓ ଶୁକ୍ଳ ଆଦାୟ କରିବା ପାଇଁ ପରିବହନ ବିଭାଗ ଅକ୍ଟୋବର 15 ତାରିଖରୁ ଏଚଡିଏଫସି ବ୍ୟାଙ୍କ ସହ ଚୁକ୍ତି କରିଥିଲା. ବର୍ତ୍ତମାନ ବ୍ୟାଙ୍କ 162 ପଏଣ୍ଟ ଅଫ୍ ସେଲ୍ ମେସିନ ସହ 195 ମୋବାଇଲ ଇ-ଚାଲାଣ ଡିଭାଇସ ପରିବହନ ବିଭାଗକୁ ପ୍ରଦାନ କରିଛି.