ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ‘ପେଥାଇ’ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି କିଛି ସମୟ ଭିତରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରତିକୁଳ ପରିବେଶ ଯୋଗୁ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିବ ବୋଲି ଜଣାପଡିଛି । ପେଥାଇ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୯୦ରୁ ୧୧୦ କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି । ଏବେ ଠାରୁ ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । ସାମୁଦ୍ରକ ଝଡ ପ୍ରଭାବରେ ଓଡିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଜପତି, ରାୟଗଡା, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ଅପରପକ୍ଷେ ବାତ୍ୟା ଜନିତ ବର୍ଷା ପ୍ରଭାବରେ ୧୮ତାରିଖ ପରଠାରୁ ରାଜ୍ୟରେ ରାତିର ତାପମାତ୍ରା କମିବ। ଏପରିକି ସର୍ବନିମ୍ନ ତାପମାତ୍ରା ତିନିରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।