ପ୍ରେମରେ ବିଶ୍ୱାସ କରୁଥିଲା ପ୍ରେମିକା । ଏତେ ବିଶ୍ୱାସ କରୁଥିଲା ଯେ, ଶେଷରେ ନିଜ ଘର ଛାଡି ପ୍ରେମିକ ସହ ଚାଲି ଆସିଥିଲା ପ୍ରେମିକା । ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ସ୍ୱପ୍ନ ଦେଖୁଥିଲା ସେ । ପ୍ରେମିକ ବି ପ୍ରେମିକାକୁ ଭରସା ଦେଇଥିଲା । ଏମିତି ଭରସାକୁ ନେଇ ସ୍ୱପ୍ନ ଦେଖୁଥିଲା ପ୍ରେମିକା ସସ୍ମିତା । ବିଶ୍ୱାସ ଓ ଭଲ ପାଇବା ଏତେ ବଢିଯାଇଥିଲା ଯେ ଆଉ କିଛି ସୀମା ସରହଦ ମାନି ନଥିଲେ ଦି ଜଣ । ଭଲ ପାଇବାର ସଂପର୍କରେ କାମନାର ନିଆଁ ଲାଗି ଯାଇଥିଲା । ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରିରୀକ ସମ୍ପର୍କ । ଆଉ ଏମିତି ସଂପର୍କରୁ ଗର୍ଭବତୀ ହୋଇଥିଲା ପ୍ରେମିକା । ଏଥର ବିବାହ କରିବାକୁ ଜିଦ୍ ଧରିଥିଲା ପ୍ରେମିକା । ମାତ୍ର ପ୍ରେମିକ ମନରୁ ପ୍ରେମର ନିଶା ଉତୁରି ସାରିଥିଲା । ସେ ପ୍ରେମ ନୁହେଁ, ପ୍ରେମିକାର ଦେହକୁ ଉପଭୋଗ କରିବା ପାଇଁ ଛଳନା କରୁଥିଲା କେବଳ । ତେଣୁ ପ୍ରେମିକା ଗର୍ଭବତୀ ହେବା ଜାଣିଲା ପରେ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ ଯୋଜନା ତିଆରି କରିଥିଲା ପ୍ରେମିକ । ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳରୁ ପ୍ରେମିକାକୁ ବାହାହେବ କହି ସାଙ୍ଗରେ ନେଇ ଆସିଥିଲା ଭୁବନେଶ୍ୱର । ତା ପରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା -ମଳିପଡା ଜଙ୍ଗଲକୁ ନେଇ ଯାଇଥିଲା । ପ୍ରେମିକାର ଦେହକୁ ନେଇ ସବୁ ଶୋଷ ମେଣ୍ଟାଇବା ପରେ ସବୁ ଦିନ ପାଇଁ ପ୍ରେମିକାକୁ ଶେଷ କରିଦେଇଥିଲା ସେ । କାଳେ ହତ୍ୟାକାଣ୍ଡର ସୁରାକ୍ ମିଳିଯିବ, ସେଥିପାଇଁ ପ୍ରେମିକାର ଶରୀରରୁ ମୁଣ୍ଡକୁ ଅଲଗା କରି ଘଟଣାସ୍ଥଳ ଠାରୁ ଦୂରରେ ଫିଙ୍ଗି ଦେଇଥିଲା ସେ । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା ପ୍ରେମିକ । ସେପଟେ ଝିଅର ନିଖୋଜ ସଂପର୍କରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ମୃତଦେହ ମିଳିବା ପରେ ପୋଲିସ ଛାନଭିନରୁ ଜଣାପଡିଥିଲା ହତ୍ୟାକାରୀର ପରିଚୟ । ଅଭିଯୁକ୍ତ ଯୁଧିଷ୍ଠିର ସ୍ୱାଇଁ ଥାନାରେ ଆତ୍ମସମର୍ପଣ କରିଥିଲା । ତେବେ ହତ୍ୟାକାଣ୍ଡ ପଛରେ ଏକା ପ୍ରେମିକ ଯୁଧିଷ୍ଠିର ଅଛି, ନା ତା ସହ ଆଉ କେହି ସଂପୃକ୍ତ ଅଛନ୍ତି, ସେସଂପର୍କରେ ତଦନ୍ତ କରୁଛନ୍ତି ସତ୍ୟବାଦୀ-ଚନ୍ଦକା ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here