ଆମେରିକାର ଲସ୍ ଭେଗାସରେ ଚାରି ଦିନ ଧରି ଚାଲିଥିବା କନଜ୍ୟୁମର ଇଲେକ୍ଟ୍ରିକ ସୋ’ (ସିଇଏସ) ରେ ଫ୍ରାନ୍ସ କମ୍ପାନୀ ଏକ ‘ୱାଇ’ ଆକାରର ଏଭଳି ଏକ ଟୁଥ ବ୍ରଶ୍ ପ୍ରଦର୍ଶନ କରିଛି, ଯେଉଁଥିରେ ମାତ୍ର 10 ସେକେଣ୍ଡ ମଧ୍ୟରେ ଦାନ୍ତ ସଂପୂର୍ଣ୍ଣରୂପେ ସଫା ହୋଇଯିବ. କମ୍ପାନୀ କହିବା ଅନୁସାରେ, ଏହି ଟୁଥ୍ ବ୍ରଶକୁ ଦାନ୍ତରେ ଭଲଭାବରେ ଫିଟ କରାଯାଇପାରିବ ଏବଂ ବଟମ ଦବାଇ ଦାନ୍ତ ସଫା କରିହେବ. ତେବେ ଏହି ଟୁଥ୍ ବ୍ରଶ ଭାଇବ୍ରେଟ ହୁଏ ଓ ଦାନ୍ତକୁ ସଫା କରିଦିଏ. ‘ୱାଇ’ ସେପ୍ ର ଏହି ଟୁଥ୍ ବ୍ରଶରେ ଛୋଟ ଛୋଟ ନାଇଲନ ବ୍ରିଶିଲ୍ସ ଲଗାଯାଇଛି. ତେବେ ଖାସ୍ କଥା ହେଲା ଏହାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି, ଯାହା ଅତି ସହଜରେ ଦାନ୍ତରେ ଫିଟ ହୋଇଯିବ. ଏହି ଟୁଥ୍ ବ୍ରଶରେ ପେଷ୍ଟ ଲଗାଇ ପ୍ରଥମେ ଦାନ୍ତର ତଳ ଭାଗରେ 5 ସେକେଣ୍ଡ ଓ ଉପର ଭାଗରେ 5 ସେକେଣ୍ଡ ରଖିବାକୁ ହୁଏ. ସାଧାରଣ ଟୁଥ୍ ବ୍ରଶ ଅପେକ୍ଷା ଏହା ଜଲଦି ଦାନ୍ତ ସଫା କରିଦେଇଥାଏ ଏବଂ ଏହା 15 ପ୍ରତିଶତ କୀଟାଣୁ ମୁକ୍ତ ବୋଲି କମ୍ପାନୀ କହିଛି. ଏହାର ମୂଲ୍ୟ କମ୍ପାନୀ 125 ଡଲାର ରଖିଥିବା ବେଳେ ଭାରତୀୟ ମୁଦ୍ରାରେ ଏହା ପ୍ରାୟ 9 ହଜାର ଟଙ୍କା ହେବ, ଯାହାର ବିକ୍ରି ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ. ଏହା ଅତି ସଫ୍ଟ ଏବଂ ପ୍ଲାଷ୍ଟିକରେ ତିଆରି ଏବଂ ଏହାକୁ ଚାର୍ଜ କରିବାକୁ ପଡିଥାଏ. ପାଖାପାଖି 1400 ବର୍ଷ ପରେ ଏହାର ଡିଜାଇନ ବଦଳିଛି ବୋଲି କମ୍ପାନୀ କହିଛି.