ସୁନ୍ଦରଗଡ ଏସପିଙ୍କ ନାଁରେ ମାମଲା । ଏସଡିଜିଏମଙ୍କ ନିଦେ୍ର୍ଦଶରେ ହେମଗିରି ଥାନାରେ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୌମ୍ୟା ମିଶ୍ରଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ମାଡ ମାରି ତାଙ୍କର ଗର୍ଭ ନଷ୍ଟ କରିଥିବା ଖୋଦ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାର ହେମଗିରି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତ ଜୁଲାଇ ମାସ ୩ ତାରିଖରେ କନିକା ଅଂଚଳରେ ଏକ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ଭିଆଇଥିବା ଗାଡିକୁ ଅଟକ ରଖିବା ସହ ପୋଲିସରେ ଜିମା ଦେଇଥିଲେ । ଏହାପରେ ହେମଗିରି ପୋଲିସ ଗାଡିକୁ ଥାନାକୁ ନେଇ ଯାଇଥିଲା । କିନ୍ତୁ ପୋଲିସ ମାମଲାର ରଫାଦଫା କରି ଗାଡିକୁ ମାଲିକଙ୍କୁ ଫେରାଇ ଦେଇଥିବା ଏକ ମିଛ ଖବର କନିକା ଅଂଚଳରେ ପ୍ରସାରିତ ହୋଇଥିଲା । ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । କେବଳ ରାସ୍ତା ରୋକ ନୁହେଁ ସେମାନେ କନିକା ଫାଣ୍ଡି ଉପରକୁ ଢେଲାପଥର ମାଡ କରିଥିଲେ । ତେବେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଉତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା । ଖବର ପାଇ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର ଥାନା ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ସହ ସ୍ଥାନୀୟ କିଛି ଗ୍ରାମରେ ତଦନ୍ତ କରିବା ସହ କିଛି ଘରେ ଚଢାଉ କରିଥିଲେ । ଏହି ଘଟଣାରେ ପୋଲିସ କନିକା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପଶିଥିଲା । କିନ୍ତୁ ବ୍ୟକ୍ତିଜଣଙ୍କ ଘରେ ନଥିଲେ । ତେବେ ତାଙ୍କ ସ୍ତ୍ରୀ ପ୍ରିୟା ଦେ ଘରେ ଉପସ୍ଥିତ ଥିଲେ । ପୋଲିସ ପ୍ରିୟାଙ୍କୁ ପ୍ରଥମେ ଧମକ ଚମକ ଦେଇ ମାଡ ମାରିଥିବା ପ୍ରିୟା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ପୋଲିସର ମାଡରେ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିବା ଭଳି ସେ ସାଙ୍ଘାତିକ ଆରୋପ ଲଗାଇଛନ୍ତି ।