ଆଜି ମହାପର୍ବର ମହାମିଳନ | କୁମାର ପୁର୍ଣ୍ଣିମା ସହ ଧରାବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ | ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପଡେ ଏହି ପର୍ବ | ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍ୟାପିତ ହେବ | ଓଡ଼ିଶାର ଘରେ ଘରେ ଝିଅମାନେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି । ସେହିପରି ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଳକ୍ଷ୍ମୀ | କୁମାରୀମାନେ ସକାଳୁ ଗାଧୋଇ ନୂଆ ବସ୍ତ୍ର ପିନ୍ଧି ଗୁଆ, ଖଇ, ଫଳ, ପୁଷ୍ପର ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତି | ପରେ ସନ୍ଧ୍ୟାରେ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରନ୍ତି | ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ସେହି ଚକଟାରେ ଚାନ୍ଦ ତିଆରି କରାଯାଇଥାଏ । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ତାପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥାନ୍ତି | ପରେ ଜମିଥାଏ ନାଚ ଗୀତର ଅସରା | କୁମାରମାନେ କବାଡି, ପଶାଖେଳ ଆଦିରେ ମଜି ରହନ୍ତି । କୁମାରୀମାନେ ଲୁଚକାଳି ପୁଚି ଆଦି ଖେଳି ସାରା ରାତି ବିତାଇ ଦିଅନ୍ତି । କୁମାରୀମାନଙ୍କ କୁଆଁର ପୁନେଇଁ ଜହ୍ନ ଲୋ ଗୀତରେ ପରିବେଷ ମୁଖରିତ ହୋଇପଡେ ।
ଅନ୍ୟପଟେ ମା’ ଲକ୍ଷ୍ମୀ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ତେବେ ସାରା ରାଜ୍ୟରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇଛି । ପୂଜା ପାଇଁ ପ୍ରସିଦ୍ଧ ଢେଙ୍କନାଳ, ତାଳଚେର, କେନ୍ଦ୍ରପଡା ଓ ଅନୁଗୁଳରେ ତୋରଣ ସାଙ୍ଗକୁ ଲାଇଟ ଗେଟ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି |

LEAVE A REPLY

Please enter your comment!
Please enter your name here