କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ହରିୟାଣା ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ଏବେ ଭୟ ଘାରିଛି । ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ପୋଲିସ ଆକ୍ସନକୁ ନେଇ ଚାଷୀ ଆତଙ୍କିତ । କୋଡିଏ ଜଣ ଚାଷୀଙ୍କୁ ଦିଲ୍ଲୀ ପୋଲିସ ନୋଟିସ ପଠାଇଥିବା ବେଳେ ଆନ୍ଦୋଳନରତ ଚାଷୀଙ୍କ ନାଁରେ 22ଟି ଏତଲା ରୁଜୁ କରିଛି ପୋଲିସ । ଘଟଣାଦିନ ଲାଲକିଲ୍ଲାରେ ଧର୍ମୀୟ ପତାକା ଉଡାଇଥିବା ଯୁବକଙ୍କୁ ମଧ୍ୟ ଚିହ୍ନଟ କରିଛି ପୋଲିସ । ପଞ୍ଜାବର ତରନତାରନ ଜିଲ୍ଲାରେ ଯୁବକଙ୍କ ଘର ଏବଂ ତାଙ୍କ ନାଁ ଯୁଗରାଜ ସିଂହ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେପଟେ ଏହି ଘଟଣା ପରେ ଯୁଗରାଜଙ୍କ ବାପା ମା ଗାଁରୁ ଫେରାର ହୋଇଯାଇଥିବା ଜଣାପଡିଛି । ସାଧାରଣତନ୍ତ୍ର ଦିବସରେ ହିଂସାକାଣ୍ଡ କରିବା, ଜାତୀୟ ସଂପତ୍ତି ନଷ୍ଟ କରିବା, ପୋଲିସକୁ ଆକ୍ରମଣ ଓ ହତ୍ୟା ଉଦ୍ୟମ କରିବା ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ଲଗାଇ ପୋଲିସ ଏବେ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି । ଆନ୍ଦୋଳନସ୍ଥଳରୁ ବିଦ୍ୟୁତ କାଟି ଦିଆଯିବା ଫଳରେ ଅନେକ ଚାଷୀ ଆନ୍ଦୋଳନସ୍ଥଳ ଛାଡି ପଳାଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ମୁଖପାତ୍ର ରାକେଶ ଟିକାୟତ ଚାଷୀ ଆନ୍ଦୋଳନ ଭଣ୍ଡୁର କରିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ପାଲଟା ଆରୋପ ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, ଟିକାୟତଙ୍କ ବିରୋଧରେ ମଧ୍ୟ ଦିଲ୍ଲୀ ପୋଲିସ ଏତଲା ଦାୟର କରିଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆନ୍ଦୋଳନକୁ ନେଇ ଚାଷୀ ସଂଗଠନର ଯେଉଁ ଦମ୍ଭ ଥିଲା, ସାଧାରଣତନ୍ତ୍ର ଦିବସ ପରେ ସେ ଜୋସ୍ ଆଉ ଦେଖିବାକୁ ମିଳୁନି । ବରଂ ଏବେ ଚାଷୀ ସଂଗଠନର ନେତାମାନେ ପରସ୍ପର ଉପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି । ଭୟ ଓ ଆତଙ୍କ ଭିତରେ ଚାଷୀମାନେ ନା ଶୋଇପାରୁଛନ୍ତି, ନା ଆନ୍ଦୋଳନ କରିପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here