ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦେଶକୁ ବିଶ୍ୱର ଶୀର୍ଷସ୍ଥାନରେ ନେବାକୁ ପ୍ରୟାସ କରୁଛନ୍ତି। ଏଥି ପାଇଁ ସେ ସାରା ବିଶ୍ୱରେ ଶୁକ୍ଲ ବଢ଼ାଇବାରେ ଲାଗିଛନ୍ତି । ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ 50% ଶୁଳ୍କ ଲାଗିଛି। କେବଳ ବାହାରୁ ନୁହେଁ, ଏହି ଟାରିଫ୍ ଆମେରିକାର ମାର୍କେଟ୍କୁ ମଧ୍ୟ ପ୍ରଭାବିତ କରୁଛି। ନିର୍ବାଚନ ପ୍ରଚାରରେ ଟ୍ରମ୍ପ ଗ୍ରୋସରୀ ସାମଗ୍ରୀ ସସ୍ତା କରିବାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଟାରିଫ୍ରେ ମୂଲ୍ୟ ବୃଦ୍ଧି ହେବାରୁ ଲୋକମାନେ କିଣାକିଣି ରେ ସତର୍କ ହେଉଛନ୍ତି। ଅର୍ଥନୀତିକ ଚିନ୍ତା ସହିତ, ଦେଶରେ ରାଜନୈତିକ ଚିନ୍ତା ମଧ୍ୟ ବଢୁଛି।
ସିଏନଏନ ରିପୋର୍ଟ ଅନୁସାରେ, ଏକ ସାମ୍ପ୍ରତିକ ସର୍ଭେରେ 53% ଆମେରିକୀୟ ନାଗରିକ କହିଛନ୍ତି ଯେ ଗ୍ରୋସରୀ ଦର ସେମାନଙ୍କ ପାଇଁ ସର୍ବାଧିକ ଚିନ୍ତାର ବିଷୟ। ବିଶେଷତଃ ଅଣ୍ଡା, ଗୋମାଂସ, କମଳା ରସ ସହିତ ଦୈନିକ ପ୍ରୟୋଜନୀୟ ବହୁ ପଦାର୍ଥର ମୂଲ୍ୟ ବେଗରେ ବଢିଛି। ଟ୍ରମ୍ପ ସରକାରଙ୍କ ନୂତନ ଶୁଳ୍କ ନୀତି ଫଳରେ ବିଦେଶୀ ଫଳ, କ୍ୟାନ୍ଡ ସାମଗ୍ରୀ, କଫି ପର୍ଯ୍ୟନ୍ତ ମହଙ୍ଗା ହେଉଛି।
ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ଥିବା ଆମେରିକା, ମେକ୍ସିକୋ, କାନାଡା ଓ ଚୀନ୍ ସହିତ ପ୍ରମୁଖ ବାଣିଜ୍ୟିକ ସମ୍ପର୍କ ରଖିଛି। ପୂର୍ବରୁ 10% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହୁଏଥିଲେ, ବର୍ତ୍ତମାନ ମେକ୍ସିକୋରେ 25%, କାନାଡାରେ 35% ଏବଂ ଚୀନ୍ରେ 30% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇଛି।
ବର୍ଷ ଆରମ୍ଭରୁ, ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଆମେରିକୀୟମାନେ ମୁଦ୍ରାସ୍ଫୀତିକୁ ଭୟ କରୁଛନ୍ତି । କିନ୍ତୁ ମୁଦ୍ରାସ୍ଫୀତି କିଛି ପରିମାଣରେ ନିୟନ୍ତ୍ରଣରେ ରହିଛି । କେବଳ କିଛି ଜିନିଷର ମୂଲ୍ୟ ବୃଦ୍ଧି ପାଇଛି । ଏହାର କାରଣ ହେଉଛି କିଛି କମ୍ପାନୀ ନିଜେ ଅଧିକ ଖର୍ଚ୍ଚ ବହନ କରିଛନ୍ତି ଏବଂ ଗ୍ରାହକଙ୍କୁ ଦେଇନାହାଁନ୍ତି । ଏହା ସହିତ, ଅନେକ କମ୍ପାନୀ ପାଖରେ ଏବେ ବି ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ଷ୍ଟକ୍ ଅଛି । ଶୁଳ୍କ ଭୟ ଯୋଗୁଁ ସେମାନେ ବର୍ଷ ଆରମ୍ଭରେ ବହୁ ପରିମାଣରେ ସାମଗ୍ରୀ କିଣିଥିଲେ ।














