କୁଆଡେ ଗଲା 104 ? କଣ କରୁଥିଲା 100 ? କାହିଁକି ଫେଲ୍ ମାରିଗଲା ସରକାରୀ ବ୍ୟବସ୍ଥା ? ରାଜଧାନୀ ଭୁବନେଶ୍ବରରେ ସବୁ ବ୍ୟବସ୍ଥା ଥାଇ ବି ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା ଅଭାବରୁ ଆଖି ବୁଜିବାକୁ ପଡିଲା । ଗତ 27 ତାରିଖରେ ଭୁବନେଶ୍ବର ବମିଖାଲ ଅଂଚଳର ଭଡା ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଛାତିରେ ଯନ୍ତ୍ରଣା ହେଲା । ତାଙ୍କ ଝିଅ ଏ ସଂପର୍କରେ ସରକାରୀ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ 108 ଓ ପରେ 104 ଓ 100 କୁ ଫୋନ୍ କରିଥିଲେ ବାପାଙ୍କୁ ହସପିଟାଲ ନେବା ପାଇଁ । ମାତ୍ର କୌଣସି ସ୍ଥାନରୁ ସହାୟତା ନ ମିଳିବାରୁ ଶେଷରେ ନିଜେ ଏ କ କ୍ୟାବ୍ ଭଡା କରି ପାଖରେ ଥିବା ଘରୋଇ ହସପିଟାଲକୁ ନେଇଥିଲେ । କିନ୍ତୁ ଗୋଟିଏ ପରେ ଗୋଟିଏ ଘରୋଇ ହସପିଟାଲରୁ ତାଙ୍କୁ ନିରାଶ ହେବାକୁ ପଡିଲା ଏବଂ ଶେଷରେ ତାଙ୍କ ବାପା ରାସ୍ତାରେ ଆଖି ବୁଜିଦେଲେ । ଯଦିଓ ତାଙ୍କ ବାପାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା, ମାତ୍ର କରୋନା ସଂକ୍ରମିତ ଅଂଚଳରୁ ସେ ଆସିଥିବାରୁ ତାଙ୍କୁ ଚିକିତ୍ସା କରାଗଲା ନାହିଁଁ । ପ୍ରଶ୍ନ ଉଠୁଛି, ସରକାର ଲୋକଙ୍କୁ ସ୍ବାସ୍ଥ୍ୟଗତ ସହାୟତା ପାଇଁ ଚବିଶ ଘଣ୍ଟିଆ 104 କାମ କରୁଛି ବୋଲି କହୁଛନ୍ତି, ମାତ୍ର ଏ କ୍ଷେତ୍ରରେ କାହିଁକି 104 ସଂପୃକ୍ତ ବ୍ୟକ୍ତିଙ୍କୁ ସହାୟତା କରିବାରେ ଫେଲ୍ ହେଲା ? ସରକାରୀ ବ୍ୟବସ୍ଥାରେ ଦାୟିତ୍ବହୀନତା ପାଇଁ ଜଣେ ବ୍ୟକ୍ତିଙ୍କୁ କେବଳ ଯେ ଚିକିତ୍ସା ଅଭାବରୁ ଆଖି ବୁଜିବାକୁ ପଡିଲା, ତା ନୁହେଁ, କରୋନା ଭୟରେ ଜଣେ ଅସହାୟ ଝିଅକୁ ସାହାଯ୍ୟ କରିବା ପାଇଁ ଘର ମାଲିକ ବି ସହାୟତାର ହାତ ବଢାଇଲା ନାହିଁଁ ।

LEAVE A REPLY

Please enter your comment!
Please enter your name here