ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଓଡିଶା ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶରତ ପଟ୍ଟନାୟକ । ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ହୋଇଛି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଗ୍ରହଣ କରିଛନ୍ତି । ପୂର୍ବରୁ ବଲାଙ୍ଗୀର ସାଂସଦ ଭାବେ ଗୋଟିଏ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପିସିସି ସଭାପତି ଭାବେ ମଧ୍ୟ 2002 ରୁ 2004 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଶରତଙ୍କୁ ପିସିସି ସଭାପତି ଭାବେ ଦଳ ଦାୟିତ୍ବ ଦେବା ପରେ ସମସ୍ତଙ୍କୁ ନେଇ ସେ ଦଳ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳ ତାଙ୍କ ହାତରୁ ଦାୟିତ୍ବ ନେଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ।
ପିସିସି ସଭାପତି ଭାବେ ଜଣେ ବିଧାୟକଙ୍କୁ ଦାୟିତ୍ବ ଦେବାକୁ ବିଧାୟକ ତଥା ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଦାବି କରିଆସୁଥିଲେ । ଏପରିକି ତାରାଙ୍କ ସହ ଆଉ କେତେକ ବିଧାୟକ ମଧ୍ୟ ସ୍ବର ମିଳାଇଥିଲେ । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳର ହାଇକମାଣ୍ଡ ପୂର୍ବତନ ସାଂସଦ ଶରତ ପଟନାୟକଙ୍କୁ ପିସିସି ସଭାପତି ଦାୟିତ୍ବ ଦେଇଛନ୍ତି ।