ଢେଙ୍କାନାଳରେ ଭୁଷୁଡିଲା ରାଇସ ମିଲ କାନ୍ଥ । ରାଇସ ମିଲ କାନ୍ଥ ତଳେ ଯାନବାହନ ସହିତ ବହୁ ଲୋକେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । । କାନ୍ଥ ଭୁଷୁଡ଼ି ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଅଛନ୍ତି । ମୃତକମାନେ ହେଲେ ଗେଙ୍ଗୁଟିଆ ଅଂଚଳର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମୁନ୍ୟୁ ବିଶ୍ୱାଳ, ଟିନା ବେହେରା ଓ ସଂଗ୍ରାମ ସାହୁ । ସମସ୍ତେ ପରିବା ବେପାରୀ ବୋଲି ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଢେଙ୍କାନାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହୁରି କିଛି ଲୋକ ସେଠାରେ ଫଶି ରହିଥିବା ଅନୁମାନ କରାଯାଉଛି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ୍‌ ବଜାର ଅଳସୁଆ ହାଟରେ ପ୍ରତ୍ୟେକ ରବିବାର ହାଟ ବସିଥାଏ । ଆଜି ସକାଳୁ ମଧ୍ୟ ବେପାରୀମାନେ ଆସି ହାଟ ଲଗାଇଥିଲେ । ହଠାତ୍ କାନ୍ଥ ଭୁସୁଡି ପଡିଥିଲା । ଫଳରେ ସେଠାରେ ପରିବା ବିକୁଥିବା ବେପାରୀମାନେ ଚାପି ହୋଇଯାଇଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡ୍ରାଫ୍‌ ଟିମ୍‌ ୪ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ କାନ୍ଥ ତଳୁ ବାହାର କରିଛନ୍ତି । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଛି । ଦୀର୍ଘ କୋଡ଼ିଏ ବର୍ଷ ହେବ ସେହି ସ୍ଥାନରେ ହାଟ ବସେ । ହାଟ ଭିତରେ କାହିଁକି ଏତେ ଦିନ ହେଲା ରାଇସ୍‌ ମିଲ୍‌ର ପରିତ୍ୟକ୍ତ କାନ୍ଥକୁ ରଖାଯାଇଥିଲା । କାହିଁକି ତାକୁ ଭଙ୍ଗା ଯାଇ ନ ଥିଲା ବୋଲି ଲୋକମାନେ କହିଛନ୍ତି । ଏହି ଘଟଣାରେ ଜିଲ୍ଲାପଳ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ କହିଛନ୍ତି । ଅନ୍ୟପକ୍ଷରେ ଏହି ଅଘଟଣରେ ଆହତ ହୋଇଥିବା ୭ ଜଣଙ୍କର ଏବେବି ଚିକିତ୍ସା ଚାଲିଛି । ସଙ୍କଟାପନ୍ନ ଅବସ୍ଥାରେ ୩ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣ ଢେଙ୍କାନାଳ ଜିଲ୍ଲ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here