ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ଦର । ସେଥିପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ସେପ୍ଟେମ୍ବର ୨୨ ତାରିଖ ହେଉଛି ନବରାତ୍ରିର ପ୍ରଥମ ଦିନ ଏବଂ ନୂତନ ପରବର୍ତ୍ତୀ ପିଢ଼ିର GST ସେହି ଦିନଠୁ କାର୍ଯ୍ୟକାରୀ ହେବ। ଏହି ଅବସରକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଉତ୍ସବ ପାଳନର ସମୟ ନୁହେଁ ବରଂ ଅର୍ଥନୈତିକ ବିକାଶ ଏବଂ ଟିକସ ସଂସ୍କାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ସଞ୍ଚୟ ମହୋତ୍ସବ ପ୍ରତ୍ୟେକ ନାଗରିକଙ୍କ ଟଙ୍କା ସଞ୍ଚୟ କରିବ । କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକର ପ୍ରୟାସ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରତ୍ୟେକ ରାଜ୍ୟର ଚିନ୍ତାକୁ ଦୂର କରାଯାଇଛି। “ଏକ ରାଷ୍ଟ୍ର, ଏକ ଟିକସ”ର ସ୍ୱପ୍ନ ସାକାର ହୋଇଛି। ଟିକସ ଚକ୍ରବ୍ୟୁହ ପୂର୍ବରୁ ଏକ ଅସୁବିଧା ଥିଲା, କିନ୍ତୁ GST ସଂସ୍କାର ସବୁକିଛି ସହଜ କରିଦେଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି,୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ GST ପାଇଁ ସଂକଳ୍ପ କରିଥିଲି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ GST ସଂସ୍କାର ସମ୍ଭବ ହୋଇଛି । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି । ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି ।












