ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କ ପାଇଁ ତିନି ରଥ ପ୍ରସ୍ତୁତ ରହିଛନ୍ତି । ସୁସଜ୍ଜିତ ଭାବେ ନାନାଦି ଝୋଟି ଚିତାରେ ପଥ ବି ସଜେଇ ହୋଇଛି । ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ଭକ୍ତ ବି ଅପେକ୍ଷା କରି ରହିଛନ୍ତି ।

ଆଜି ରଥଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସୁସଜ୍ଜିତ ତିନିରଥକୁ ଦକ୍ଷିଣ ମୋଡ କରାଯାଇ ରଥଖଳାକୁ ଅଣାଯାଇଛି । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଦେଖିବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ବଡଦାଣ୍ଡରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଆଜି ଘୋଷଯାତ୍ରା ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିଛନ୍ତି । ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ଅନୁଷ୍ଟିତ ହେବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ପହଣ୍ଡି ବିଜେ କରିବା ପାଇଁ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛନ୍ତି । ରଥଯାତ୍ରା ସୁଚାରୁରୁପେ ପରିଚାଳନା ପାଇଁ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ବୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଘୋଷଯାତ୍ରା ବେଳେ ଯଦି କିଛି ଅଘଟଣ ଘଟେ, ଅସୁସ୍ଥ ତଥା ଆହତଙ୍କୁ ହସପିଟାଲ ନେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି । ରଥ ଚାରିପାଖେ ଥିବା କର୍ଡନ ମଧ୍ୟକୁ ଅନାବଶ୍ୟକ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କେଉଁ ରଥ ଉପରେ କିଏ ରହିବେ ତାହା ମଧ୍ୟ ସ୍ଥିର କରାଯାଇଛି ।

ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟକୁ କଡାକଡି କରାଯାଇଛି । ସେହିପରି ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here