ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରିବାର, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ସକାଳ ପ୍ରାୟ ୯ଟାରେ ଗଜପତି ମହାରାଜ ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସିଂହଦ୍ୱାରରେ ଗରୁଡ ସ୍ତମ୍ଭ ପାଖରୁ ପ୍ରଥମେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଥିଲେ ରାଷ୍ଟ୍ରପତି । ଏହାପରେ ୨୨ ପାହାଚ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିର ଭିତରେ ଗର୍ଭଗୃହକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ରତ୍ନ ସିଂହାସନ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ପରେ ଶ୍ରୀମନ୍ଦିର ବେଢାରେ ପରିକ୍ରମା କରିବା ସହିତ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି । ମନ୍ଦିର ବାହାରେ ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ବୁଲିଦେଖିଥିଲେ ରାଷ୍ଟ୍ରପତି । ମନ୍ଦିରରୁ ଫେରିବାବେଳେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦାନ କରାଯାଇଛି ।
ସେପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମର୍ପଣ ନିଧି ଅଭିଯାନରେ ଶ୍ରୀମନ୍ଦିର ପ୍ରଶାସନକୁ ୧ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରରେ ଶ୍ରଜିଉଙ୍କର ଦର୍ଶନ କରିବା ପରେ କୋଣାର୍କ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

LEAVE A REPLY

Please enter your comment!
Please enter your name here