ମୃତ୍ୟୁକୁ ତିନି ଦିନ ବିତିଗଲା । ହେଲେ ମୃତ୍ୟୁ ପଛର ରହସ୍ୟ ଉପରୁ ଏବେ ବି ପରଦା ଉଠିପାରୁନି । ରାଇ ମୋହନଙ୍କ ସୁଇସାଇଡକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେବାରେ ଲାଗିଛି । ହେଲେ କେଉଁ କାରଣ ପାଇଁ ରାଇ ସୁଇସାଇଡ ରାସ୍ତାକୁ ବାଛିନେଲେ , ତାହା ସସପେନ୍ସ ଘେରରେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାବେଳେ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ରାଇମୋହନ କିଛିଦିନ ଡିପ୍ରେସନରେ ରହୁଥିଲେ । ପରିବାର ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା ଜାରି ରଖିଥିଲେ ହେଁ ପୋଲିସକୁ ଠୋସ୍ ତଥ୍ୟ ମିଳିନି । ପାରିବାରିକ ବିବାଦ ସଂପର୍କରେ ବି ମୁହଁ ଖୋଲୁନାହାଁନ୍ତି ପରିବାର ଲୋକେ । ତେବେ ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ରାଇମୋହନ ଥାନାକୁ ଯାଇଥିବା ଜଣାପଡିଛି । କିନ୍ତୁ କେଉଁ କାରଣ ପାଇଁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ରାଇମୋହନ ବ୍ୟବହାର କରୁଥିବା ମୋବାଇଲ ଜବତ କରି ଆତ୍ମହତ୍ୟା କାରଣର ଖିଅ ଖୋଜୁଛି ।