ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ) ଅଧିନିୟମ ଲାଗୁ ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର କରିନେବାକୁ ଚିଠିରେ ଅନୁରୋଧ କରାଯାଇଛି । ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ) ଅଧିନିୟମ ଶ୍ରୀମନ୍ଦିର ପାଇଁ କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଶହେ ମିଟର ପର୍ଯ୍ୟନ୍ତ ଅଂଚଳରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ । ଶହେମିଟର ପର୍ଯ୍ୟନ୍ତ ଅଂଚଳ ସଂପୂର୍ଣ୍ଣ ନିଷେଧାଞ୍ଚଳ ହେବ । ସେହିପରି ଶହେ ମିଟର ପରେ ଦୁଇଶହ ମିଟର ପରିମିତ ଅଞ୍ଚଳ ନିୟନ୍ତ୍ରିତ ଜୋନ୍ ଭାବେ ରହିବ । ଏନଏମଏର ବିନା ଅନୁମତିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ । ଏନଏମଏ ସଂପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ ଏବଂ ଶ୍ରୀ ପଟେଲ ଏହି ଅଧିନିୟମ ଶ୍ରୀମନ୍ଦିର ପାଇଁ ଲାଗୁ ହେଲେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ ଏହା ଲାଗୁ ହେଲେ ଶ୍ରୀମନ୍ଦିର ସେବା, ଭକ୍ତ ଓ ସେବାୟତଙ୍କ ସ୍ବାର୍ଥରେ ବାଧା ସୃଷ୍ଟି ହେବାର ଆଶଙ୍କା କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ଏନଏମଏକୁ ଚିଠି ଲେଖି ତୁରନ୍ତ ଏହି ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here