ବଦଳିବେ ପିସିସି ସଭାପତି । ନୂଆ ପିସିସି ସଭାପତି ପାଇଁ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ମଧ୍ୟ ଅଲଗା ଅଲଗା ଆଲୋଚନା କରିଛନ୍ତି । ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ଦାୟିତ୍ବ ଦେବାକୁ ଦାବି ହୋଇ ଆସୁଥିବାରୁ ଚେଲ୍ଲା କୁମାର ନେତାମାନଙ୍କ ସହ ଆଲୋଚନା କରିବା ପରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ହାଇକମାଣ୍ଡଙ୍କୁ ସୁପାରିଶ କରିବେ । ପିସିସି ସଭାପତି ନିରଞ୍ଜନ ବହୁପୂର୍ବରୁ ପଦ ଛାଡିବା ପାଇଁ ଇଚ୍ଛା ପ୍ରକାଶ କରିସାରିଥିବାରୁ ଏବେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଧାୟକ ଦଳ ନେତା ପଦରେ ନରସିଂହ ମିଶ୍ର ରହିଥିବା ବେଳେ ତାଙ୍କୁ ମଧ୍ୟ ପରିବର୍ତ୍ତନ କରିବାକୁ ଦଳର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି । ଏଭଳି ସ୍ଥିତିରେ କାହାକୁ କେଉଁ ଦାୟିତ୍ବ ଦିଆଗଲେ, ଦଳ ଆଗକୁ ଠିକରେ ଚାଲିବ, ତାକୁ ନେଇ ତର୍ଜମା କରୁଛନ୍ତି ଚେଲ୍ଲାକୁମାର । ବରିଷ୍ଠ ବିଧାୟକ ସୁର ରାଉତରାୟ, ଚାରିଥର ବିଧାୟକ ଜିତିଥିବା ତାରାପ୍ରସାଦ ବାହିନୀପତି, କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ଚେଲ୍ଲାକୁମାରଙ୍କ ସୁପାରିଶ ଆଧାରରେ ହାଇକମାଣ୍ଡ କାହା ମୁଣ୍ଡରେ ହାତ ରଖିବେ, ତାହା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here