କ୍ରୀଡ଼ା ଜଗତରେ ପୁଣି ଦୁଷ୍କର୍ମର କଳଙ୍କ। ଯାଜପୁରରେ ଜଣେ ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ କରିଥିବା ଓ ବଳପୂର୍ବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କୋଚଙ୍କୁ ପଚରାଉଚରା କରୁଛି ।
ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସ ୩ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ କୋଚ୍ ଓ ତାଙ୍କର ଜଣେ ସହଯୋଗୀ ମିଶି ନାବାଳିକା ଖେଳାଳି ଜଣଙ୍କୁ ରାସ୍ତାରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ପରେ ତାଙ୍କୁ ଏକ ଲଜ୍କୁ ନେଇ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି । ଏହି ଘଟଣା ପରେ ପୀଡ଼ିତାଙ୍କ ପକ୍ଷରୁ କୋଚଙ୍କ ସମେତ ମୋଟ୍ ତିନି ଜଣଙ୍କ ନାଁରେ ଯାଜପୁର ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବା ସହ ମୁଖ୍ୟ ଅଭିଯୁକ୍ତ କୋଚ୍ଙ୍କୁ ହେପାଜତକୁ ନେଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।














