ସାବିତ୍ରୀ ଅମାବାସ୍ୟା ପାଇଁ ସଜେଇ ହୋଇଛି ରାଜଧାନୀର ଫଳ ବଜାର । ଭଳିକି ଭଳି ଫଳ ଗ୍ରାହକଙ୍କୁ ଅପେକ୍ଷା କରିଛି । ହେଲେ ଫଳ ବଜାରରେ ସତେ ଯେମିତି ନିଆଁ ଲାଗିଛି । ଫଳ ଦର ଶୁଣି ସତ୍ୟବାନଙ୍କ ମୁଣ୍ଡ ଝାଇଁ ମାରିଯାଉଛି । କାରଣ ଦର ଏତେ ରହିଛି ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେଓ କିଲୋପିଛା ୧୬୦ରୁ ୨୦୦ । କମଳା କିଲୋପିଛା ୭୦ରୁ ୧୨୦ । ବେଦନା କିଲୋପିଛା ୧୨୦ରୁ ୧୮୦ । ଆମ୍ବ ୮୦ରୁ ୧୨୦ । ସପୁରୀ ଗୋଟା ୬୦ରୁ ୧୦୦ । ଅଙ୍ଗୁର କିଲୋପିଛା ୧୩୦ରୁ ୧୭୦ । ନଡିଆ ଗୋଟା ୩୦ରୁ ୫୦ ଏବଂ ଲିଚୁ କିଲୋପିଛା ୧୦୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ବ୍ୟବସାୟୀଙ୍କ କହିବା କଥା ଏବର୍ଷ ରେଟ୍ ଅଧିକା ହେବାର ମୁଖ୍ୟ କାରଣ ସାମୁଦ୍ରିକ ଝଡ ଫନୀ । କାରଣ ଫନି ପ୍ରଭାବରେ ରାଜ୍ୟରେ ବହୁ ଫଳନ୍ତି ଗଛ ନଷ୍ଟ ହୋଇଯାଇଛି । ଫଳରେ ବାହାର ରାଜ୍ୟରୁ ଆଣିବାକୁ ପଡୁଛି । କେବଳ ଫଳ ନୁହେଁ । ଫଳ ସାଙ୍ଗକୁ ଶାଢୀ , ଶଙ୍ଖା , ସିନ୍ଦୁର ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀକୁ ନେଇ ମଧ୍ୟ ବେପାର ବେଶ ଜମିଛି । ନୂଆ ଶାଢୀ କିଣିବାକୁ ଲୁଗା ଦୋକାନରେ ନାହିଁ ନଥିବା ଭିଡ । ବର୍ଷକରେ ଗୋଟିଏ ଦିନ । ନିଜ ସ୍ୱାମୀର ମଙ୍ଗଳ ପାଇଁ ପ୍ରତ୍ୟେକ ସ୍ତ୍ରୀମାନେ ବେଶ୍ ନିଷ୍ଠାର ସହ ଏହି ଦିନଟିକୁ ପାଳିଥାନ୍ତି । ଦର ଯେତେ ଚଢା ରହିଲେ ମଧ୍ୟ ଗ୍ରାହକ କିଣିବାକୁ ପଛ ଘୁଞ୍ଚା ଦେଉନାହାଁନ୍ତି ।

LEAVE A REPLY

Please enter your comment!
Please enter your name here