ବିନା ନୋଟିସରେ ଉଚ୍ଛେଦ ହେଲା ଝାରପଡା ସ୍ଥିତ ଗଣେଶ ମଣ୍ଡପ ହାଟ । ସକାଳୁ ସକାଳୁ ବ୍ୟବସାୟୀଙ୍କ ନିଦ ଭାଙ୍ଗିବା ଆଗରୁ ହାଟ ଉଚ୍ଛେଦ ପାଇଁ ଦଳ ବଳ ଧରି ପହଞ୍ଚିଯାଇଥିଲା ବିଏମସି ଟିମ୍ । ଆଉ କିଛି ସମୟ ଭିତରେ ଗୋଟିକ ପରେ ଗୋଟିଏ ଦୋକାନ ମାଟିରେ ମିଶି ଯାଇଥିଲା । ବ୍ୟବସାୟୀଙ୍କ ପ୍ରତିବାଦ କେହି ଶୁଣି ନ ଥିଲେ । ଅନ୍ୟାୟ ଭାବେ ହାଟ ଭାଙ୍ଗିବା ଘଟଣା ପ୍ରତିବାଦରେ ବ୍ୟବସାୟୀଙ୍କ ସହ ସ୍ବର ମିଳାଇଥିଲେ ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ । ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ । ହେଲେ ପୋଲିସ ବୁଝାଶୁଝା କରି ରାସ୍ତା ଅବରୋଧରୁ ବିକ୍ଷୋଭକାରୀଙ୍କୁ ଉଠାଇ ଦେଇଥିଲେ ହେଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ଅସନ୍ତୋଷ ଥମିନି । ତେବେ କଣ ପାଇଁ ଝାରପଡା ଗଣେଶ ମଣ୍ଡପ ହାଟ ବ୍ୟବସାୟୀଙ୍କ ଉପରେ ଏତେ ରାଗ ?
ଉଚ୍ଛେଦର ଶୀକାର ହୋଇଥିବା ବ୍ୟବସାୟୀଙ୍କ କହିବା କଥା, ଗଣେଶ ମଣ୍ଡପ ହାଟ ଭୁବନେଶ୍ବର ମହାନଗର ନିଗମର 33 ନମ୍ବର ଓ୍ବାର୍ଡ ଅନ୍ତର୍ଗତ । ।ଏଠାରୁ ବିଜେପି କର୍ପୋରେଟର ଜିତିବା ପରେ ଆରମ୍ଭ ହୋଇଛି ରାଜନୀତି । ସର୍ବାଧିକ ଓ୍ବାର୍ଡରେ ବିଜେଡି ଜିତିଥିଲେ ହେଁ କିଛି ଓ୍ବାର୍ଡରେ ବିଜେଡି ହାରିବାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଦଳୀୟ ବିଧାୟକମାନେ । ଯେଉଁ ଓ୍ବାର୍ଡରେ ବିଜେଡି କମ୍ ଭୋଟ ପାଇଛି, ସେହିସବୁ ଅଞ୍ଚଳକୁ ଚିହ୍ନଟ କରିବା ପରେ ଆରମ୍ଭ ହୋଇଛି ପଲିଟିକାଲ ଟ୍ରିଟମେଣ୍ଟ । ବ୍ୟବସାୟୀମାନେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆଡକୁ । ପୋଲିସ ଲଗାଇ ସକାଳୁ ସକାଳୁ ବ୍ୟବସାୟୀଙ୍କ ଦୋକାନ ଉଚ୍ଛେଦ କରି ସେ ପ୍ରତିଶୋଧ ନେଇଛନ୍ତି ବୋଲି କହିଛନ୍ତି । ତେବେ ଏମିତି କଲେ ଯଦି ସେ ଭାବୁଥାନ୍ତି, ଆମେ ବିଜେଡିକୁ ଭୋଟ ଦେବୁ, ତାହା ଭୁଲ୍ ତାଙ୍କର ଧାରଣା ବୋଲି ବ୍ୟବସାୟୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here