ତିନିଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ମହାମହିମ ରାଷ୍ଟ୍ରପତିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର, ମେୟର ଶ୍ରୀମତି ସୁଲୋଚନା ଦାସ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ପାରଂପରିକ ଆଦିବାସୀ ନୃତ୍ୟଗୀତରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ ବିମାନ ବନ୍ଦରରୁ ରାଜଭବନ ଅଭିମୁଖେ ରାଷ୍ଟ୍ରପତିଙ୍କ କାରକେଡ୍ ଆସୁଥିବା ବେଳେ ରାସ୍ତା ଦୁଇପାର୍ଶ୍ବରେ ସାଧାରଣ ଜନତା ତାଙ୍କ ପ୍ରିୟ ରାଷ୍ଟ୍ରପତିଙ୍କୁ ହାତ ହଲେଇ ସ୍ବାଗତ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରୋଟୋକଲ ଭାଙ୍ଗି ଗାଡିରୁ ଓହ୍ଲେଇ ତାଙ୍କୁ ସ୍ବାଗତ ଜଣାଉଥିବା ଲୋକଙ୍କ ପାଖକୁ ଚାଲି ଆସିଥିଲେ । କାହା ସହିତ ହାତ ମିଶେଇଥିଲେ ତ ଆଉ କାହାକୁ ହାତ ହଲେଇ ସମ୍ବର୍ଦ୍ଧନାର ଉତ୍ତର ଦେଇଥିଲେ । ସମସ୍ତେ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଖୁସି ହୋଇଯାଇଥିଲେ । ରାଜଭବନରେ ରାଷ୍ଟ୍ରପତି ସଂଧ୍ୟାରେ ଅତୁଟ ବନ୍ଧନ ପରିବାର ସହ ଭାବ ବିନିମୟ କରିଥିଲେ ।

ଆସନ୍ତାକାଲି ଦିନତମାମ ରାଷ୍ଟ୍ରପତିଙ୍କର କଟକରେ ବ୍ୟାପକ କାର୍ଯ୍ୟକ୍ରମ ରହିଛି । ସକାଳ ଆଠଟାରେ କଟକ ଚଣ୍ଡୀମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବେ । ସେଠାରୁ ସେ ମଧୁବାବୁଙ୍କ ଭାସଭବନ, ନେତାଜୀଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ଇଣ୍ଡୋର ଷ୍ଟାଡିଅମରେ ଓଡିଶା ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବରେ ୟୋଗ ଦେବେ । ଅପରାହ୍ନରେ ଏଶସିବି ମେଡିକାଲ କଲେଜର ବାର୍ଷିକତ୍ସୋବ ଏବଂ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ଆସନ୍ତାକାଲି ରାଷ୍ଟ୍ରପତିଙ୍କର କଟକରେ ବ୍ୟାପକ କାର୍ଯ୍ୟକ୍ରମ ଥିବାରୁ ଅନେକଗୁଡିଏ ସରକାରୀ ଅଫିସକୁ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here