ପ୍ରଥମ ଥର ସ୍ନାନ କରିବା ପରେ ଆଖି ବୁଜିଛନ୍ତି ଅମୁ ହାଜି । ବିଶ୍ୱାସ ଥିଲା ଅପରିଷ୍କାର ରହିଲେ ଲମ୍ବା ଆୟୁଷ ରହିବ । ହେଲେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇରାନରେ ରହୁଥିବା ଦୁନିଆର ସବୁଠାରୁ ଅପରିଷ୍ମାର ବ୍ୟକ୍ତି । ହାଜିଙ୍କୁ ଏଥିପାଇଁ ଅପରିଷ୍କାର କୁହାଯାଉଥିଲା, ଯେ ସେ ଅନେକ ଦଶନ୍ଧି ଧରି ସେ ଗାଧୋଉନଥିଲେ । ସମସ୍ତେ ଭାବୁଥିଲେ ଯେ ଅସୁସ୍ଥ ହେବା ଭୟରେ ହାଜି ଗାଧୋଇନଥିଲେ । କିନ୍ତୁ କିଛି ମାସ ପୂର୍ବରୁ ଗାଁର କିଛି ଲୋକ ହାଜିଙ୍କୁ ଗାଧେଇବା ପାଇଁ ବାଥରୁମକୁ ନେଇଥିଲେ । ଏହାପରେ ସେ ଅସୁସ୍ଥ ହୋଇ ରବିବାର ଆଖି ବୁଜିଛନ୍ତି । ସ୍ନାନ ନକରିବା ଏବଂ କପଡା ସଫା କରୁନଥିବା କାରଣରୁ ଦୁନିଆର ସବୁଠୁ ଅପରିଷ୍କାର ବ୍ୟକ୍ତି ଭାବେ ସେ ବେଶ୍ ଚର୍ଚ୍ଚାରେ ଥିଲେ । ୨୦୧୩ ରେ ହାଜିଙ୍କ ଜୀବନ ଉପରେ ‘ଦି ଷ୍ଟ୍ରେଞ୍ଜ ଲାଇଫ୍ ଅଫ ଅମୁ ହାଜି” ନାମକ ଏକ ସର୍ଟ ଫିଲ୍ମ ତାଙ୍କ ଉପରେ ନିର୍ମିତ ହୋଇଥିଲା । ହାଜି ରାସ୍ତା କଡରେ ରହୁଥିଲେ ଏବଂ ମରିପଡିଥିବା ପଶୁଙ୍କୁ ଖାଉଥିଲେ । ଏବଂ ପଶୁଙ୍କ ମଳରେ ସେ ଧୂମପାନ କରୁଥିଲେ । ହାଜି ବିବାହ କରିନଥିଲେ କି ତାଙ୍କର କେହି ପରିବାର ନଥିଲେ । ଇରାନ ମରୁଭୂମିରେ ସେ ଏକୁଟିଆ ରହୁଥିଲେ । ତାଙ୍କର କୌଣସି ନିଜସ୍ୱ ଘର ନଥିବାରୁ ସେ ମରୁଭୂମିରେ ଥିବା ଗାତରେ ରହୁଥିଲେ । ବର୍ଷ ବର୍ଷ ଧରି ଗୋଟିଏ କପଡା ପିନ୍ଧୁଥିଲେ ହାଜି । ଯଦି କୌଣସି ବ୍ୟକ୍ତି ତାଙ୍କୁ ନୂଆ କପଡା ଦିଅନ୍ତି ତେବେ ସେ ମଇଳା କପଡା ଉପରେ ପିନ୍ଧି ଦିଅନ୍ତି ।