ଓଡିଶା ରାଜନୀତିରେ ସସପେନ୍ସ । କିଏ କାହା ସହିତ ଅଛି, କେତେବେଳେ କିଏ କାହାକୁ ବିରୋଧ କରୁଛି ତ ପୁଣି କେତେବେଳେ ସମର୍ଥନ କରୁଛି, କହିବା ସମ୍ଭବ ନୁହେଁ । ରାଜନୀତି ବିଶ୍ଳେଷକଙ୍କ ଅଙ୍କ ଭୁଲ୍ ହୋଇଯାଉଛି । ସାଧାରଣ ଜନତା କିଛି ବୁଝି ପାରୁନାହାଁନ୍ତି । 2024 ନିର୍ବାଚନ ଯେତିକି ପାଖଉଛି, ସେତିକି ଜଟିଳ ହେଉଛି ଓଡିଶା ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଭାବଶାଳୀ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ ଭିଆରଏସ ନେବା ଏବଂ ତିନିଦିନ ଭିତରେ ଜଣେ ଆଇଏଏସ ଅଧିକାରୀଙ୍କ ଭିଆରଏସକୁ କେନ୍ଦ୍ର ସରକାର ମଂଜୁରୀ ଦେବା ଅନେକ ସମ୍ଭାବନା ତିଆରି କରିଛି । ପାଣ୍ଡିୟାନ ବାବୁ ଜଣେ ସାଧାରଣ ଆଇଏଏସ ଅଫିସର ନୁହଁନ୍ତି, ଏକଥା ପ୍ରମାଣିତ ହୋଇସାରିଛି । ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ହେଲେ ମଧ୍ୟ ସେ ନିଜର ବୁଦ୍ଧି, ଜ୍ଞାନ ଓ ଚତୁରପଣିଆ ବଳରେ ଏବେ ସୁପ୍ରିମୋଙ୍କ ସୁପ୍ରିମୋ । ଯାହା ପୂର୍ବରୁ କେହି କେବେ କରିପାରି ନ ଥିଲେ, ତାହା ସେ କରିପାରିଛନ୍ତି । ଦଳ, ସରକାର ଏବଂ ସ୍ବଂୟ ମୁଖ୍ୟମନ୍ତ୍ରୀ ତାଙ୍କ ନିୟନ୍ତ୍ରଣରେ । ଏହା କିଛି କମ୍ କଥା ନୁହେଁ । ତେଣୁ ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ଏଭଳି ଜଣେ ଦକ୍ଷ ଓ ଚତୁର ବ୍ୟକ୍ତିଙ୍କୁ ଅଣଦେଖା କରିବା ଯେ ଉଚିତ ନୁହେଁ, ଏକଥା ବିଜେପିର କେନ୍ଦ୍ରୀୟ ନେତୃତ୍ବ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି । ସେଥିପାଇଁ ପଦବୀରେ ଥାଇ ଗୋଟିଏ ରାଜନୀତିକ ଦଳ ପାଇଁ ଖୋଲାଖୋଲି କାମ କରି ଭାରତୀୟ ପ୍ରଶାସନିକ ସେବା ରୁଲ୍ ଉଲ୍ଲଂଘନ କରୁଛନ୍ତି ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଭିଯୋଗକୁ ଫୁ କରିଦେଲେ କେନ୍ଦ୍ରୀୟ ନେତା । ରାଜ୍ୟ ବିଜେପି ନେତାମାନେ ବିଜେଡି ବିରୋଧରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯେତେ ତୁମ୍ବିତୋଫାନ କଲେ ବି ଓଡିଶାରେ କ୍ଷମତା ଦଖଲ ପାଇଁ କେନ୍ଦ୍ରୀୟ ନେତାଙ୍କ ଷ୍ଟ୍ରାଟେଜୀ ଅଲଗା । ଜୟ ନାରାୟଣ ମିଶ୍ରଙ୍କ ପରି ବିଜେପିର ବିଜେଡି ବିରୋଧୀ ଘୋର ଚରମପନ୍ଥୀ ନେତାଙ୍କ ବୟାନବାଜି ଗୋଟେ ଆଡକୁ ଯାଉଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଉଦାରବାଦୀ ନେତାଙ୍କ ଷ୍ଟ୍ରାଟେଜୀ ଅଲଗା ଢଙ୍ଗରେ ତିଆରି ଚାଲିଛି ।

ବିଜେଡିକୁ ହରଡଘଣାରେ ପକାଇବାକୁ ବିଜେପି କେନ୍ଦ୍ର ନେତାଙ୍କୁ ବେଶୀ ସମୟ ଲାଗି ନ ଥାନ୍ତା । ଦିଲ୍ଲୀରେ ଆପ୍ ସରକାରକୁ ଅବକାରୀ ଦୁର୍ନୀତିରେ ପାଣି ପିଆଉଛନ୍ତି ମୋଦି ସରକାର । ଓଡିଶାରେ ଚିଟଫଣ୍ଡଠୁ ଖଣି ଦୁର୍ନୀତିରେ ନବୀନ ସରକାର ସଂପୃକ୍ତ ଥିଲେ ହେଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଟିକେ ହାତ ମାରିଦେଇ ଫାଇଲ୍ ବନ୍ଦ କରିଦେଇଛି । ଅନେକ ପ୍ରସଙ୍ଗରେ ଉଭୟ ଉଭୟଙ୍କ ସ୍ବାର୍ଥରକ୍ଷା ପାଇଁ ଯତ୍ନବାନ ହୋଇଛନ୍ତି । ସେଥିପାଇଁ ଅନେକ କ୍ଷେତ୍ରରେ କେନ୍ଦ୍ର ବିଜେପି ସରକାରକୁ ସନ୍ତୁଷ୍ଟ କରିବାକୁ ପଛେଇ ନାହିଁ ବିଜେଡି । ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠେଇବାକୁ ହେଉ ଅବା ଦିଲ୍ଲୀ ସରକାରଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗ ହେଉ, ସୁନାପିଲା ଭଳି ବିଜେପି ନେତାଙ୍କ ସବୁ ବୋଲ ମାନିଛି ବିଜେଡି । କେବଳ ସେଥିପାଇଁ 2013ରୁ ଆରମ୍ଭ ହୋଇଥିବା ଚିଟଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତ ରେଜାଲ୍ଟ ଶୂନ୍ । ସାଧାରଣ ଗରିବ ଲୋକଙ୍କ ସଞ୍ଚିତ ଟଙ୍କା ଫେରିପାଇବା ପକ୍ଷରେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର, କାହାର ବି ଆନ୍ତରିକତା ନାହିଁ ।

ଭି.କେ. ପାଣ୍ଡିୟାନ ଜଣେ ଚତୁର ଆଇଏଏସ ଅଧିକାରୀ । ସେ ଭଲଭାବେ ଜାଣିଛନ୍ତି, କେନ୍ଦ୍ର ସରକାରଙ୍କ ବଡପଣ୍ଡାମାନେ ଯଦି ଅସନ୍ତୁଷ୍ଟ ହୁଅନ୍ତି, ତାହେଲେ ଏଜେନ୍ସି କେତେବେଳେ ବି ତାଙ୍କୁ ଉଠାଇ ନେଇ ଯାଇପାରେ । ତେଣୁ କୌଣସି ପରିସ୍ଥିତିରେ ବି ସେ କେନ୍ଦ୍ର ସରକାରଙ୍କ ସହ ଶତ୍ରୁତା କରିବାକୁ ଚାହିଁନାହାଁନ୍ତି । ବରଂ ନବୀନଙ୍କ ଜଣେ ଭଲ ବ୍ୟକ୍ତିଗତ ସଚିବ ଭାବେ କେନ୍ଦ୍ର ସହ ବୁଝାମଣା କରାଇବାରେ ସେ ସମର୍ଥ ହୋଇଛନ୍ତି । ଏବେ ଆବେଦନ କରିବାର ତିନିଦିନ ଭିତରେ ତାଙ୍କ ଭିଆରଏସକୁ କେନ୍ଦ୍ର ସରକାର କେମିତି ମଂଜୁରୀ ଦେଲେ ବୋଲି ପ୍ରଶ୍ନ ଉଠିଛି । ମାତ୍ର ମିଳିଥିବା ସୂତ୍ର କହୁଛି, କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶରେ ବାବୁ ପାଣ୍ଡିୟାନ ଭିଆରଏସ ନେଇଛନ୍ତି । ଆଗକୁ ଯାହା ବି ହେବ, କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶରେ ହିଁ ହେବ । ପାଣ୍ଡିୟାନ ଏବେ ଏମିତି ଜଣେ ବ୍ୟକ୍ତି, ଯିଏ ଉଭୟ ବିଜେଡି ଓ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ । 2024ରେ ଏ ଦୁଇ ଦଳ ଭିତରୁ ଯିଏ ବି ସରକାର ଗଢିଲେ ପାଣ୍ଡିୟାନଙ୍କର କ୍ଷତି କିଛି ହେବନି । ବରଂ ଆଗକୁ କଣ ହେବ, ତିଆରି ହେଉଥିବା ଷ୍ଟ୍ରାଟେଜୀରେ ବାବୁ ପାଣ୍ଡିୟାନ ବଡ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି । କେତେବେଳେ କଣ କରିବାକୁ ହେବ, ଦିଲ୍ଲୀରେ ସ୍ଥିର ହେବ । 2024ରେ ଓଡିଶାରେ କିଏ ମୁଖ୍ୟମନ୍ତ୍ରୀ ହେବ, ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତିଆରି ହେଉଥିବା ମାଷ୍ଟରପ୍ଲାନରେ ବିଜେପି ସରକାର କେମିତି ଗଢିବ, ତାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ । ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଆହୁରି ରୋଚକ ଦୃଶ୍ୟ ଦେଖିବାକୁ ମିଳିବ, ଏହା ନିଃସନ୍ଦେହ । (ଅପୂର୍ବ କୁମାର ମହାନ୍ତି, ଏଡିଟର୍/ତକ୍ଷକଟିଭି)

LEAVE A REPLY

Please enter your comment!
Please enter your name here