ବାହାଘର ପରେ ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ପ୍ରସ୍ତୁତି । ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥୀ ସମସ୍ତେ ଥିଲେ ଖୁସି । ଚତୁର୍ଥୀ ହୋମ ଏବଂ ଚତୁର୍ଥୀ ରାତିର ଅପେକ୍ଷାରେ ଥିଲେ ବର କନ୍ୟା । ମାତ୍ର ଏମିତି ଘଟିବ ବୋଲି କେହି ବିଶ୍ବାସ କରି ନ ଥିଲେ । ସକାଳେ ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନ ଥିଲା ବର । ଘର ଲୋକେ ଚାରିଆଡେ ଖୋଜାଖୋଜି କରିବାରେ ଲାଗି ପଡିଥିଲେ । ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ମାତ୍ର ବହୁ ସମୟ ଖୋଜାଖୋଜି ପରେ ପୋଖରୀରେ ବରର ମୃତଦେହ ଭାସୁଥିବା ଦେଖାଯାଇଥିଲା । ପୋଖରୀରେ ବୁଡି ବରର ମୃତ୍ୟୁ ଖବର ଜଣାପଡିବା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଥିଲା ।
ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଖଡୁପହି ସାହିରେ । ଗାଁର ଅଜୟ କୁମାର ଭଞ୍ଜଙ୍କର ବାହାଘର ଧୂମଧାମରେ ଶେଷ ହୋଇଥିଲା । ହେଲେ ଚଉଠି ପୂର୍ବରୁ ଏଭଳି ଅଘଟଣ ନବବିବାହିତା କନ୍ୟା ମୁଣ୍ଡରେ ବଜ୍ରପାତ ଭଳି । ହାତରେ ମେହନ୍ଦି, ପାଦରେ ଅଳତା ଲିଭିବା ପୂର୍ବରୁ ଲିଭିଯାଇଛି ମଥାରୁ ସିନ୍ଦୁର । ବରର ଅକାଳ ମୃତ୍ୟୁ ଖବର ମିଳିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଚଉଠି ପୂର୍ବରୁ ବରର ମୃତ୍ୟୁକୁ ନେଇ କନ୍ୟା ଘରେ ବି ଶୋକର ଛାୟା ।

LEAVE A REPLY

Please enter your comment!
Please enter your name here